ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ବଢ଼ିବାରେ ଲାଗିଛି ପିସି କାରବାର । ବିଗତ ଦିନରେ ପିସି ନେଉଥିବା ବେଳେ ଅନେକ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ତେବେ ଏହା ସତ୍ତ୍ବେ ମଧ୍ୟ ଜିଲ୍ଲାରେ ବନ୍ଦ ହେଉନି ପିସି କାରବାର । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋରାଖୁଣ୍ଟା ପଞ୍ଚାୟତରେ ଠିକାଦାରଙ୍କ ପ୍ରାପ୍ୟ ପାଇଁ ଆସିଥିବା ଟଙ୍କାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ ) ଅଶୋକ ସରକାର ପିସି ମାଗୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ପଞ୍ଚାୟତର ଉନ୍ନୟନମୂଳକ କାମ କରିଥିବା ଜଣେ ଠିକାଦାର ପଞ୍ଚାୟତ କାର୍ଯ୍ୟାଳୟକୁ ନିଜର ବିଲ୍ ପାଇଁ ଯାଇଥିଲେ । ତେବେ ସେଠାରେ ବିଲ୍ ପାସ୍ କରାଇବା ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସରକାର ସିଧାସଳଖ ପିସି ମାଗିଥିଲେ । ଏନେଇ ଭାଇରାଲ ଭିଡିଓରେ ସ୍ପଷ୍ଟ ବାରି ହେଉଛି । କେବଳ ଏତିକି ନୁହେଁ, ଠିକାଦାର ଜଣକ ପିସି ଦେବାକୁ ମନା କରିବାରୁ ଏହା ନୂଆକଥା ନୁହେଁ ବୋଲି ଶ୍ରୀ ସରକାର କହିଥିଲେ । ବିଭିନ୍ନ ଅଧିକାରୀ ଏହି ପିସି ନେବେ ବୋଲି ମଧ୍ୟ ଶ୍ରୀ ସରକାର ବଙ୍ଗୀୟ ଭାଷାରେ କହୁଥିବା ଭାଇରଲ ଭିଡିଓରୁ ଜଣାପଡ଼ିଛି । ଅପର ପକ୍ଷରେ ଠିକାଦାର ଜଣକ ପୂର୍ବରୁ ଅନ୍ୟ କର୍ମଚାରୀଙ୍କୁ ପିସି ଦେଇଛନ୍ତି, ଆଉ ଅଧିକ ପିସି ଦେଲେ କ୍ଷତିହେବ କହିଥିବା ଭିଡିଓରେ ଦେଖିବାକୁ ମିଳିଛି । ଜିଲ୍ଲାରେ ଏଭଳି ଅନେକ ବିଭାଗରେ ପିସି କାରବାର ଚାଲିଥିବା ବେଳେ ସମସ୍ତ ଉନ୍ନୟନ କାର୍ଯ୍ୟ କରୁଥିବା ଠିକାଦାର ନିଜର ପ୍ରାପ୍ୟ ପାଇବା ପାଇଁ ପିସି ଦେଉଥିବା ନେଇ ଚର୍ଚ୍ଚା ହେଉଛି । ଜଣେ ଠିକାଦାର ଯଦି ପିସି ଆକାରରେ ବିପୁଳ ଅର୍ଥ ଦେବ, ତେବେ ଉନ୍ନୟନମୂଳକ କାର୍ଯ୍ୟର ମାନ କିପରି ହେବ, ତାହା ମଧ୍ୟ ସହଜେ ଅନୁମେୟ ।
ଏନେଇ ଆମେ ମାଲକାନଗିରି ବିଡିଓ ଅଜୟ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏଭଳି ଘଟଣାର ସେ ତଦନ୍ତ କରିବେ । ଦୋଷୀ ସାବ୍ୟସ୍ତ ହେଲେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାଲକାନଗିରି ବ୍ଲକର ତଣ୍ଡାପଲ୍ଲୀ ଓ ତଣ୍ଡିକି ପଞ୍ଚାୟତରେ ଥିବାବେଳେ ପୂର୍ବରୁ ମଧ୍ୟ ତାଙ୍କ ନାମରେ ଏଭଳି ଅନେକ ଅଭିଯୋଗ ରହିଥିବା ଜଣାପଡିଛି ।