
ଭୁବନେଶ୍ୱର, ରାଜଧାନୀ ଅଳିଆ ନଉଠିବାକୁ ବିରୋଧ କରି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶୁକ୍ରବାର ବିଏମସି କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ବିଜେପିର ଶହ ଶହ କାର୍ଯ୍ୟକର୍ତା ଏକ ଶୋଭାଯାତ୍ରାରେ ଆସି ବିଏମ୍ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପକାଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କିରିଥିଲେ । ପରେ ବିଏମ୍ସିର ଉଚ୍ଚ କର୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ଆଗାମୀ ୪୮ଘଂଟା ମଧ୍ୟରେ ଭୁବନେଶ୍ୱରରୁ ଅଳିଆ ନଉଠିଲେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବା ସହ ମେୟର ଓ କମିଶନରଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି ।
ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଆବର୍ଜନା ଘେରରେ ବେହାଲ ହେଉଛି ରାଜଧାନୀ ଭୁବନେଶ୍ୱର । ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ରାଜଧାନୀବାସୀ । ଦାରୁଠେଙ୍ଗ ଡମ୍ପିୟାଡ୍ର୍ ସମସ୍ୟାର ସମାଧାନ ହୋଇପାରୁନି । ତେଣୁ ଏବେ ସହରରେ ଜୁଆଡେ ଚାହିଁଲେ ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଛି । ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ୱାରା ସ୍ମାର୍ଟ ସିଟିର ଛବି ମଳିନ ହେଉଛି । ବିଏମ୍ସି କର୍ତୃପକ୍ଷ ହାତ ଟେକି ଦେଇଛନ୍ତି । ବିଏମ୍ସି ମେୟର, କମିଶନର ଏକ ପ୍ରକାର ଅସହାୟ ହୋଇ ପଡିଲେଣି ଯେମିତି ସମସ୍ୟାର ସମାଧାନ ପାଇଁ ବୈଠକ କରୁଛନ୍ତି ସତ କିନ୍ତୁ ସମାଧାନର ବାଟ ବାହାରିପାରୁ ନାହିଁ ।
ଆଜିର ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ବିଜେପି ମେୟର ପ୍ରାର୍ଥୀନି ସୁନୀତି ମୁଣ୍ଡୁ, ଜିଲ୍ଲା ସାଧାରଣ ସଂପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ରାଜେନ୍ଦ୍ର ଦାସ, ଧୀରେନ ପାତ୍ର, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ମନୋରଞ୍ଜନ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ବିଜେପି କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ ।