ଭୁବନେଶ୍ୱର,ଚାଷୀର ବଳ କହୁୁଥିବା ବିଜୁ ଜନତା ଦଳ ଏବେ ଚାଷୀଙ୍କ ସମସ୍ୟା ଓ ସଂକଟ ବେଳେ ହାତବାନ୍ଧି ବସି ରହିବା ଦୁର୍ଭାଗ୍ୟଜନକ ବୋଲି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ୨୦୨୦-୨୧ ଖରିଫ ଋତୁରେ ଓଡିଶାର ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ ରାଜ୍ୟ ସରକାର । କିନ୍ତୁ ଅନାବୃଷ୍ଟି କାରଣରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୟଙ୍କର ମରୁଡି ସ୍ଥିତି ଉତ୍ପନ୍ନ ହୋଇଥିଲା । ବୀମା କମ୍ପାନୀମାନେ ଓଡ଼ିଶାର ଚାଷୀମାନଙ୍କୁ ବୀମା କ୍ଷତିପୂରଣ ଦେଉନାହାନ୍ତି । ସେପଟେ ବିଜୁ ଜନତା ଦଳ ଗତ ପଂଚାୟତ ଓ ପୌର ନିର୍ବାଚନ ସମୟରେ ଏହି ବୀମା କମ୍ପାନୀମାନଙ୍କଠାରୁ ୧୦୦କୋଟି ଟଙ୍କା ନିର୍ବାଚନୀ ପାଣ୍ଠି ସଂଗ୍ରହ କରି କମ୍ପାନୀମାନଙ୍କୁ ସୁରକ୍ଷା ଦେବାର କାମ କରୁଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ତୁରନ୍ତ ଚାଷୀଙ୍କୁ ଉକ୍ତ ପ୍ରାକୃତିକ ଦୁର୍ବିପାକ ପାଣ୍ଠିରୁୁ ସହାୟତା ପ୍ରଦାନ କରନ୍ତୁ ଏବଂ ଚାଷୀର ଖରିଫ ଫସଲ ବନ୍ୟାରେ ଉଜୁଡି ଯାଇଥିବାରୁ ତା’ପାଖରେ ରବି ଫସଲ ହିଁ ଏକମାତ୍ର ବିକଳ୍ପ । ତେଣୁ ତୁରନ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ କୀଟ ନାଶକ ମାଗଣାରେ ଯୋଗାଇ ଦେବା ପାଇଁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀଙ୍କୁ ଭେଟି ଆଲୋଚନା କରିବା ପରେ ଏଥିପ୍ରତି ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ଉପସ୍ଥିତ ଥିଲେ ।