ପୁରୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ଏହି ବେଶ ବହୁତ ଆକର୍ଷଣୀୟ ତଥା ମନୋରମ ହେବ । ମଧ୍ୟାହ୍ନ ଧୂପ ବଢ଼ିଲା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ, ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ବେଶରେ ସୁସଜ୍ଜିତ କରାଯାଇଥାଏ । ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତାବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ ।
ଏହି ବେଶରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ରଙ୍କ ଦୁଇ ହସ୍ତ ଓ ସୁଭଦ୍ରାଙ୍କ ୪ ହସ୍ତ ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଛନ୍ଦ ପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥାନ୍ତି । ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାନ୍ତି । ଏତଦବ୍ୟତୀତ ବାଙ୍କ ଚୂଳ କିରୀଟ ସୁଶୋଭିତ ଶ୍ରୀଜଗନ୍ନାଥଙ୍କ ହସ୍ତରେ ବଂଶୀ ଓ ପଦ୍ମ, ଶ୍ରୀବଳଭଦ୍ରଙ୍କ ଡାହାଣ ହସ୍ତରେ ଶିଂଘା ଓ ବାମ ହସ୍ତରେ ପଦ୍ମ ସହ କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ । ବାଙ୍କ ଚୂଳ କିରୀଟି ଉପରେ ପତ୍ର ଲଗା କଦମ୍ବ ଫୁଲ, ଦେଢ଼ି, ମଲ୍ଲ କଢି, ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡୁ, ଶ୍ରୀପୟରରେ ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି ଇତ୍ୟାଦି ସଜ୍ଜିତ କରାଯାଇଥାଏ । ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ, ପାଶ, ଅଙ୍କୁଶ ଧାରଣ କରିଥାନ୍ତି । ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଦୁଇ ପାଖରେ ନନ୍ଦ, ଯଶୋଦା, ବସୁଦେବ, ଦେବକୀ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା, ଇନ୍ଦ୍ର, ନାରଦ ରୋହିଣୀ ଆଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାନ୍ତି । ଯଦି ରଘୁନାଥ ବେଶ ତୁଳନା ରେ ଦେଖାଯାଏ ତେବେ କୃଷ୍ଣ ବଳରାମ ବେଶ ମଧ୍ୟ ସେହିପରି ବିଶାଳ ରୂପରେ ହୋଇଥାଏ । ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସାନ୍ଧ୍ୟ ଧୂପ ଅନୁଷ୍ଠିତ ହେବ । ଏହି ବେଶ ବିଳମ୍ବିତ ରାତ୍ରୀ ଯାଏ ରହିବ । ତତ୍ପରେ ବେଶ ଓଲାଗି ହୋଇ ଅନ୍ୟ ନୀତି ଅନୁଷ୍ଠିତ ହେବ ।
ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀରେ ଶ୍ରୀଜୀଉମାନଙ୍କ ହେଉଥିବା କୃଷ୍ଣ ବଳରାମ ବେଶ ଆଜକୁ ୭୬ ବର୍ଷ ହେବ ଆରମ୍ଭ ହୋଇଛି । ପୂର୍ବେ ଏହି ଦିନ ଗିରିଟେକା ବେଶ ଅନୁଷ୍ଠିତ ହେଉଥିଲା । କିନ୍ତୁ, କିଛି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଏହା ଆଉ ହୋଇ ପାରିନଥିଲା ।