ବଲାଙ୍ଗିର,ଟିଟିଲାଗଡ ସବଡିଭିଜନ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଧୀନସ୍ଥ ଉତ୍କେଲା ଗ୍ରାମର ଲିଙ୍ଗରାଜ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ବଜ୍ରାଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି ।
ସୂଚନାନୁଯାୟୀ, ବୁଧବାର ଦିନ ପ୍ରାୟ ୩ଟା ସମୟରେ ଘର ନିକଟରେ ଥିବା ଲିଙ୍ଗରାଜ ବେହେରା ବଜ୍ରାଘାତର ଶିକାର ହୋଇ ତଳେ ପଡ଼ିଯାଇ ଅଚେତ୍ ହୋଇଥିଲେ । ତୁରନ୍ତ ପରିବାର ଲୋକେ ଓ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟଡାକ୍ତଖାନାକୁ ଆଣିଥିଲେ । ଡ଼ାକ୍ତରଖାନା ବହିର୍ବିଭାଗରେ କାର୍ଯ୍ୟରତ ଡ଼ାକ୍ତର ତଥା ମେଡ଼ିକାଲ ଅଫିସର କୃଷ୍ନଚନ୍ଦ୍ର ପାଲ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଦୁଇଟି ଛୋଟ ସନ୍ତାନ ଥିବା ଓ ସେ ପରିବାରର ମୂଖ୍ୟ ହୋଇଥିବାରୁ ତାଙ୍କ ବିୟୋଗରେ ପରିବାର ସମ୍ପୂର୍ଣ ବେସାହାରା ହୋଇପଡିଛି। ତେଣୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏନେଇ ପୋଲିସ ତରଫରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରି ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏ ଦିଗରେ ସବିଶେଷ ତଦନ୍ତ ଜାରୀ ରହିଛି ବୋଲି ସୂଚନା ଦିଆ ଯାଇଛି ।