ବଲାଙ୍ଗିର, ଦୁର୍ନୀତି ନିବାରଣ ବିଭାଗର ଜାଲରେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ । ତାଙ୍କୁ ଗତକାଲି ସନ୍ଧ୍ୟାରେ ୨୦ ହଜାର ଟଙ୍କା ଲାଂଚ ନେଲା ବେଳେ କାବୁ କରିଛି ବରଗଡ ଭିଜିଲାନ୍ସ ଟିମ ।
ବରଗଡ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀ ଭାବଗ୍ରାହୀ ସାହୁଙ୍କ ମଦ ବୋଝେଇ ଗାଡିକୁ ସେ ଜବତ କରିଥିଲେ। ତା ସହିତ ଦୋକାନର ମ୍ୟାନେଜରକୁ ଗିରଫ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ। ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ ଯାଉଥିବା ମଦ ବୋଝେଇ ଗାଡିକୁ ଛାଡିବା ପାଇଁ ଭାବଗ୍ରାହୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ ସଂଗ୍ରାମ । ଏନେଇ ଭାବଗ୍ରାହୀ ବରଗଡ ସ୍ଥିତ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ ର ପୂର୍ବ ଯୋଜନା ମୁତାବକ କେମିକାଲ ପ୍ରଲେପ ଲଗାଯାଇଥିବା ଟଙ୍କା ଲୋଇସିଂହା ଥାନାରେ ଲାଂଚ ନେଉଥିବା ସମୟରେ ଏହି ଦଳ ଥାନା ଅଧିକାରୀଙ୍କୁ କାବୁ କରିଥିଲେ । ପରେ ପରେ ରାତିରେ ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇ.ଆଇ.ସିଙ୍କ ସରକାରୀ ଘରେ ଛାନଭିନ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ତଲାସୀ ନେଇଥିବା ବେଳେ ସେପାରି କିଛି ମିଳିନାହିଁ ବୋଲି ଖବର ମିଳିଛି। ଆଜି ଭିଜିଲାନ୍ସ କୋର୍ଟରେ ଇନ୍ସପେକ୍ଟର ସଂଗ୍ରାମଙ୍କୁ ହାଜର କରାଯିବ ବୋଲି ଜଣାପଡିଛି।