ଭୁବନେଶ୍ଵର,ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହା ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି । ଯାହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଂଚଳରେ ବର୍ଷା ଲାଗିରହିଛି । ଘୁର୍ଣ୍ଣି ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଲାଗି ରହିଛି । କିଛି ଉପକୂଳବର୍ତୀ ଜିଲ୍ଲାଗୁଡିକରେ ବର୍ଷା ଲାଗିରହିଛି । ରାଜଧାନୀ ଭୁବନେଶ୍ଵରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପାହାନ୍ତିଆରୁ ଲାଗିରହିଛି ବର୍ଷା ।
ପାରାଦ୍ବୀପ ରାଡାରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ଆଉ କିଛି ଉପକୂଳ ଅଂଚଳକୁ ଏହି ବର୍ଷା ବିସ୍ତାର କରିବାର ସମ୍ଭାବନା ରହିଛି ।
ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାରେ ରହିବ ଏହାର ପ୍ରଭାବ । ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ପାଇଁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି । ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୨୦ ସେମି ଯାଏଁ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।