ଭୁବନେଶ୍ୱର, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ୬ ମାସ ଲାଗି ବୃଦ୍ଧି କରିଛନ୍ତି । ୬ ମାସ କାର୍ଯ୍ୟକାଳ ବୃଦ୍ଧି ପରେ ସେ ଆସନ୍ତା ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ସଚିବ ଦାୟିତ୍ୱରେ ରହିବେ । ଦ୍ୱିତୀୟ ଥର ପାଇଁ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।
କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଲେଖା ଯାଇଥିବା ଚିଠିରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧିକୁ ଅନୁମୋଦନ ଦିଆଯାଇଛି । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କୁ ଅଗଷ୍ଟ ୧୦ ତାରିଖରେ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଥିଲେ । ଭାରତ ସରକାର ଉକ୍ତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
୧୯୮୬ ବ୍ୟାଚ ଆଇଏଏସ ଶ୍ରୀ ମହାପାତ୍ରଙ୍କର କାର୍ଯ୍ୟକାଳ ଅଗଷ୍ଟ ୩୧ ତାରିଖରେ ଶେଷ ହେବାର ଥିଲା । ହେଲେ ଏବେ ସେ ଆସନ୍ତାବର୍ଷ ଫେବୃଆରୀ ୨୮ ଯାଏ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ଏହାପୂର୍ବରୁ ଏହି ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟକାଳ ୨୦୨୨ ଫେବୃଆରୀ ୨୮ରେ ଶେଷ ହେବାର ଥିଲା । କିନ୍ତୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ଅର୍ଥାତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ ।