ଭୁବନେଶ୍ୱର, ଅଭିନେତ୍ରୀ ପ୍ରକୃତି ମିଶ୍ର ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ମାନହାନୀ ମାମଲା ଦାୟର କରିଛନ୍ତି । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ।
ବାବୁସାନ୍ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଆଠ ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ ବୋଲି ଜଣା ପଡିଛି । ହେଲେ ସେମାନେ ଚିହ୍ନଟ ହୋଇନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ ।
ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି । ୟୁଟ୍ୟୁବରେ ପ୍ରକୃତିଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ନ୍ୟୁଜ୍ ପ୍ରସାରଣ ହୋଇଛି ।ପୋଲିସ ଠାରୁ ନ୍ୟାୟ ନମିଳିବାରୁ ସେ କୋର୍ଟ ଯାଇଥିବା କହିଛନ୍ତି ।
ପ୍ରକୃତିଙ୍କ ଓକିଲ କହିଛନ୍ତି ଯେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ସେ କହିଛନ୍ତି ।