ନୂଆପଡ଼ା, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ରୋକାଲ ପଞ୍ଚାୟତ ଠାରେ ଓଡିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟାକୁ ନେଇ ଲୋକମାନେ ଅଭିଯୋଗ ଆପତ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ । ପଶ୍ଚିମ ଓଡ଼ିଶାର ବିକାଶ କଥା କହୁଥିବା ସରକାର ଦିଗହରା ହେଉଥିବାର ଆଜି ପରିଲକ୍ଷିତ ହେଉଥିଲା । ପଞ୍ଚାୟତ ସମିତିର ସମସ୍ତ ବ୍ଲକ କର୍ମଚାରୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ରହି ପ୍ରତ୍ୟେକ ଦରଖାସ୍ତ ଗୁଡ଼ିକର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି ମାନଙ୍କ ଦ୍ଵାରା ଉପସ୍ଥାପନ ହୋଇଥିବା ସମସ୍ୟା ଗୁଡ଼ିକ ମଧ୍ୟରୁ କେନ୍ଦ୍ର ସାମ୍ନାରେ କଂକ୍ରିଟକରଣ, ରୋଷେଇ ଗୃହ ନିର୍ମାଣ, ନୂତନ ଗୃହ ନିର୍ମାଣ ଇତ୍ୟାଦି ।ଓଡ଼ିଶା ଜୀବିକା ମିଶନ ଦ୍ବାରା କାର୍ଯ୍ୟରତ ଏମବିକେ ସିଆରପି ଏବଂ କମିଟିର କାର୍ଯ୍ୟକର୍ତ୍ତା ମାନେ ବର୍ଷ ବର୍ଷ ଧରି ନିଜର ପାରିଶ୍ରମିକ ପାଉନ ଥିବା ଦୃଷ୍ଟିରୁ ଅଭିଯୋଗ ଦାଖଲ କରିଥିଲେ । କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନେ ୩ ବର୍ଷ ହେବ ଦରମା ପାଇ ନାହାନ୍ତି ତେଣୁ ଅଭିଯୋଗ ଦରଖାସ୍ତ ବିଡ଼ିଓଙ୍କୁ ଜଣାଇଥିଲେ । ଗ୍ରାମାଞ୍ଚଳ ସ୍ତରରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଗୁଡ଼ିକ ନାରୀ ମାନଙ୍କୁ ସଚେତନ କରାଇବା ସହ ସ୍ଵାବଲମ୍ବୀ ହେବାକୁ ବିଭିନ୍ନ ପ୍ରକାର କୌଶଳ ନିୟମିତ ଭାବରେ ପ୍ରଦାନ କରି ଆସୁଛନ୍ତି। କିନ୍ତୁ, ଦୀର୍ଘ ୨୦ ମାସ ହେବ ସେମାନେ ତାଙ୍କର ଦରମା ପାଇନଥିବା ଅଭିଯୋଗ କରିଥିଲେ । ସେମାନେ ଏନେଇ ଆଗରୁ ଅନେକ ଥର ବିଡ଼ିଓ ଏବଂ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳଙ୍କୁ ମଧ୍ୟ ୨ ଥର ସାକ୍ଷାତ କରିଥିବା କଥା ଦରଖାସ୍ତ ରେ ଲେଖିଛନ୍ତି ।
ଏଠି ପ୍ରଶ୍ନ ଉଠେକି ଯେଉଁ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ ସ୍ଵାଧୀନତା ଦିବସ ଉପଲକ୍ଷେ କୋଟି କୋଟି ଟଙ୍କାର ପତାକା ବାଣ୍ଟି ଥିଲେ ଅଥଚ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ସାମ୍ନାରେ, ଆଉ ତାଙ୍କରି କର୍ମକର୍ତ୍ତାଙ୍କୁ ଦରମା ନ ଦେବା ବିଡ଼ମ୍ବନାର ବିଷୟ ଅଟେ। ସାଧାରଣ ଜନତାଙ୍କ ଦ୍ଵାରା ଦିଆଯାଇଥିବା ଅଭିଯୋଗ ମାନ ହେଉଛି – ବିଦ୍ୟୁତିକରଣ, ଷ୍ଟ୍ରିଟଲାଇଟ, ନଳକୂପ ଖନନ, ଜମି ମରାମତି, ମନରେଗା ଯୋଜନାରେ କରିଥିବା କାର୍ଯ୍ୟର ପ୍ରାପ୍ୟ ପ୍ରଦାନ, ନୂତନ ଘର ଯୋଗାଇଦେବା, ଖାଉଟି କାଡ ପ୍ରଦାନ ଓ ସେଥିରେ ପରିବାର ସଦସ୍ୟଙ୍କ ନାମ ପଞ୍ଜିକରଣ, ଆଧାର କାର୍ଡ ତିଆରି, ବିଧବା ଭତ୍ତା ପ୍ରଦାନ, କାଳିଆ ଯୋଜନାରେ ନାମ ପଞ୍ଜିକରଣ ତଥା କୋଭିଡ -୧୯ରେ କାମ କରିଥିବା ବ୍ୟକ୍ତିକୁ ତାଙ୍କର ପ୍ରାପ୍ୟ ପ୍ରଦାନ ଇତ୍ୟାଦି।