ପୁରୀ, ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହେବ । କାଳୀୟଦଳନ ବେଶର ଅନ୍ୟାନ୍ୟ ନୀତି ମାର୍କଣ୍ଡ ପୁଷ୍କରିଣୀ ନିକଟରେ ପାଳନ ହେବ ।
ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ଜଳରେ କାଳୀୟ ସର୍ପକୁ ବଧ କରିଥିବାରୁ ସେହି ସ୍ମୃତିକୁ ମନେ ପକାଇ ଶ୍ରୀମନ୍ଦିରରେ ଏହି ନୀତି ଅନୁଷ୍ଠିତ ହେଉଛି । ରତ୍ନ ସିଂହାସନ ଉପରେ ରୂପକାର ସେବାୟତମାନଙ୍କ ଦ୍ଵାରା ନିର୍ମିତ ସପ୍ତଫେଣୀ କଳା ସର୍ପ ଜଗନ୍ନାଥଙ୍କ କାଠ ନିର୍ମିତ ପାଦ ତଳେ ବିରାଜମାନ କରିବେ । ବେତ, କଳାକନା ଓ ସୂତାରେ ଦରଜିଙ୍କ ସହାୟତାରେ ଏହି ସପ୍ତଫେଣୀ କଳା ସର୍ପ ନିର୍ମାଣ କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ଦୁଇ ପାର୍ଶ୍ଵରେ ଦୁଇଟି ନାଗୁଣୀ ପ୍ରାର୍ଥନାରତ ଅବସ୍ଥାରେ ରହିବେ । ପ୍ରଭୁ ବାମ ହସ୍ତରେ କାଳୀୟର ଲାଞ୍ଜ ଧରିଥିବା ବେଳେ ଦକ୍ଷିଣ ହସ୍ତରେ ପଦ୍ମଫୁଲ ଶୋଭା ପାଇବ । ଶ୍ରୀ ବଳଭଦ୍ରଙ୍କୁ କାଠ ନିର୍ମିତ ପାଦହସ୍ତ ଲାଗି କରାଯିବ । ଦୁଇ ହସ୍ତରେ ହଳ, ମୂଷଳ ଧାରଣ କରିବେ ସମ୍ମୁଖରେ କାଠ ନିର୍ମିତ ଗାଈବାଛୁରୀ ଦଣ୍ଡାୟମାନ ହେବେ ।
ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ବିମାନରେ ଲବଣିଖିଆ ଛକ ଦେଇ ମାର୍କଣ୍ଡ ପୁଷ୍ପରିଣୀକୁ ବିଜେ କରିବେ । ସେଠାରେ ପୁଷ୍କରିଣୀ ମଝିରେ ଥିବା ଦୀପିଦାଣ୍ଡି ମଣ୍ଡପରେ ରୂପକାର ସେବକଙ୍କ ଦ୍ଵାରା କାଠରେ ନିର୍ମିତ କାଳୀୟ ନାଗ ସ୍ଥାପନ ହୋଇଥିବ । ଜଣେ ସେବାୟତ କୃଷ୍ଣ ବେଶ ଧାରଣ କରିବା ସହ ଅନ୍ୟ ଜଣେ ସେବାୟତ ଗରୁଡ଼ ବେଶରେ ସେଠାକୁ ଯାଇ ସର୍ପକୁ ବଧ କରିବେ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିଷ ଜ୍ଵାଳାରୁ ଗରୁଡ଼ ଉଦ୍ଧାର କରିବା ପରେ ବିଷକ୍ରିୟା ଲାଘବ ପାଇଁ ଅମୃତ ଲଡ଼ୁ ଶ୍ରୀକୃଷ୍ଣଙ୍କୁ ଖୁଆଇବେ । ଏହି ଦୃଶ୍ୟ ଦେଖିବା ପାଇଁ ମାର୍କଣ୍ଡ ପୁଷ୍କରିଣୀ ଓ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି ।