
ବାରିପଦା, ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଜୟପୁର ପଚାଂୟତ ରାଇଡାହି ଗ୍ରାମରେ ସୋମବାର ରାତିରେ ଗୋଟିଏ ପରିବାର ଖାଇସାରି ଶୋଇଥିବା ବେଳେ ଘରର ମାଟିକାନ୍ଥ ଭୁଷୁଡି ପଡିବା ଯୋଗୁଁ ଘର ଭିତରେ ଶୋଇଥିବା ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ୨ ବର୍ଷର ଶିଶୁପୁତ୍ର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଏପରି ହୃଦୟ ବିଦାରକ ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିବା ସହ ପରିବାର ଉପରେ ଦୁଃଖର ପାହାଡ଼ ଛିଡା କରିଛି ।
ଏହି ପରିବାରର ଗଣେଶ ସିଂ ଜଣେ ରାଜ ମିସ୍ତ୍ରୀ । ସେ ଭୁବନେଶ୍ଵରରେ ରହି କାମ କରନ୍ତି । ଘରେ ତାଙ୍କ ସ୍ତ୍ରୀ ତୁଳସୀ, ଦୁଇ ପୁଅ ଜ୍ୟୋତି ଶଙ୍କର (୮) ଓ ଭୋଳା ଶଙ୍କର (୨) ଏବଂ ବଡ ଝିଅ ଯଶୋଦା (୧୦)କୁ ନେଇ ରହୁଥିଲେ । ଗତକାଲି ରାତିରେ ଘର ମଧ୍ୟରେ ଜ୍ୟୋତି ଶଙ୍କର ଓ ଯଶୋଦା ଦୁହେଁ ମିଶି କାନ୍ଥ କଡରେ ଶୋଇଥିବା ବେଳେ ଛୋଟ ପୁଅ ଭୋଳାକୁ ନେଇ ତୁଳସୀ କିଛି ଦୂରରେ ଶୋଇଥିଲେ । ତେବେ ରାତି ପ୍ରାୟ ୧୦ ଟା ସମୟରେ ସମସ୍ତେ ଶୋଇଯାଇଥିବା ବେଳେ ଲଗାଣ ବର୍ଷାରେ ହଠାତ୍ ମାଟି କାନ୍ଥଟି ଭୁଷୁଡି ପଡିବା ଯୋଗୁଁ ଜ୍ୟୋତି ଶଙ୍କର ଓ ଯଶୋଦା ଉଭୟ ଭାଇ ଓ ଭଉଣୀ କାନ୍ଥ ତଳେ ଚାପି ହୋଇ ଗୁରୁତର ହୋଇପଡିଥିଲେ । ତୁଳସୀଙ୍କ ଚିତ୍କାର ଶୁଣି ସାହି ପଡୋଶୀ ଲୋକେ ଘଟଣାସ୍ଥଳରେ ପହଂଚି ଭାଉଭଉଣୀଙ୍କୁ କାନ୍ଥ ତଳୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଯଶୋଦା ପଂଚମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଜ୍ୟୋତି ଶଙ୍କର ବିଦ୍ୟାଳୟ ଯାଇ ପାଠ ପଢା ଆରମ୍ଭ କରିଥିଲେ ।
ଖବର ପାଇ ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ଉଦଳା ଡାକ୍ତରଖାନାରେ ପହଂଚି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏ ସଂକ୍ରାନ୍ତରେ ଉଦଳା ଥାନାରେ ୪୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।