
ଭୁବନେଶ୍ୱର, ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଂଚଳରେ ସକ୍ରିୟ ଗତକାଲିର ଘୁର୍ଣ୍ଣିବଳୟ ଆଜି ଉତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତୀ ଅଂଚଳରେ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା (୭ ରୁ ୨୦ ସେମି ) ରହିଛି । ଏଥିପପାଇଁ ଏହି ଜିଲ୍ଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ଏହି ସମୟ ମଧ୍ୟରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଂଜାମ , ଗଜପତି ଓ ଖୋର୍ଦ୍ଧା । ପ୍ରବଳ ବର୍ଷା ଫଳରେ ମାଟି ରାସ୍ତା, ଚାଳଘର ପ୍ରଭାବିତ ହେବା ସହ ମାଟିକାନ୍ଥ ପଡିବା ସମ୍ଭାବନା ରହିଛି । ତଳୁଆ ଅଂଚଳରେ ପାଣି ଜମିବା ସମ୍ଭାବନା, ଚାଷଜମି ଜଳମଗ୍ନ ହେବା ସମ୍ଭାବନା ରହିଛି । ଏହା ବ୍ୟତୀତ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ସେହିପରି ୨୪ ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରଗଡ , ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ଅ୍ତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ କେନ୍ଦୁଝର, ଅନୁଗୁଳ ବୌଦ୍ଧ, କନ୍ଧମାଳ , ସୋନପୁର, କଳାହାଣ୍ଡି, ବରଗଡ, ବଲାଙ୍ଗୀର , ନୂଆପଡା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।