
ଭୁବନେଶ୍ୱର, ଭୁବନେଶ୍ୱରର ଘାଟିକିଆ ଅଂଚଳର ନାକା ଗେଟ୍ ନିକଟରେ ଅବସ୍ଥିତ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ଦିନ ଫି’ ଆଦାୟକୁ ନେଇ ସାଂଘାତିକ ଅଭିଯୋଗ ଆସିଛି । ବକେୟା ଫି’ ଆଦାୟ ପାଇଁ ସ୍କୁଲ କର୍ତୁପକ୍ଷ କିଛି ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀ ରୁମରେ ବନ୍ଦ କରି ରଖିଥିବାର ଅଭିଯୋଗ ହୋଇଛି । ଘଟଣାର ପ୍ରତିବାଦରେ ଘାଟିକିଆ ସ୍ଥିତ ଘରୋଇ ସ୍କୁଲ ଆଗରେ ଅଭିଭାବକମାନେ ଧାରଣା ଦେଇଥିଲେ । ସ୍କୁଲ ଫି ନଦେବାରୁ ୩୪ ଜଣ ପିଲାଙ୍କୁ ପ୍ରାୟ ୫ ଘଂଟା ବନ୍ଦ କରି ରହିଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି । ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମାମଲାର ତଦନ୍ତ କରୁଥିବା ବେଳେ ସ୍କୁଲର ପ୍ରଶାସକକୁ ପୋଲିସ ଥାନାରେ ପଚରା ଉଚରା ପାଇଁ ଅଟକ ରଖିଥିବା ଜଣା ପଡ଼ିଛି ।
ଅଭିଭାବକଙ୍କ ଅନୁସାରେ କୋଭିଡ୍ ପରେ ସ୍କୁଲ ଖୋଲିବା ପରେ ପରେ ହଠାତ ସ୍କୁଲ ଫି’ ବଢାଇ ଦିଆଯାଇଥିଲା ।ଏନେଇ ଅଭିଭାବକ ଆପତି କରିବା ପରେ ସ୍କୁଲ ତରଫରୁ କୌଣସି ଉତର ଦିଆଯାଇନଥିଲା । ଛାତ୍ରଛାତ୍ରୀଙ୍କୁ ଅଟକ ରଖା ଯାଇଥିବା ଖବର ପାଇବା ପରେ ଭରତପୁର ଥାନା ପୋଲିସ ସ୍କୁଲରେ ପହଂଚିଥିଲା । ସ୍କୁଲ ଆଡମିନଙ୍କୁ ଥାନାରେ ପଚରା ଉଚରା କରାଯାଉଛି ।