ଜୟପୁର – ଜୟପୁରରେ ଶହିଦ୍ ଲକ୍ଷ୍ମଣ ନାୟକ ପଥୋଉତ୍ସବ ପରବ ୨୦୧୯ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିବା ବେଳେ କମିଟିର ଅଧ୍ୟକ୍ଷ ତଥା ଉପଜିଲାପାଳ ଲୋକନାଥ ଦଳବେହେରା, ଏସଡିପିଓ ବରୁଣ ଗୁଂଟୁପାଲ୍ଲି , ଆବାହକ ପୌର କାର୍ଯ୍ୟନିବାହି ଅଧିକାରି ଆଲୋକ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତେ ସକାଳୁ ମୁଖ୍ୟ ରାସ୍ତାରେ ଏକତ୍ରିତ ହୋଇଥିବା ବେଳେ ଦେଖିବାକୁ ମିଳିଥିଲା ନାଚ-ଗୀତ ସାଙ୍ଗକୁ କଳା କୌଶଳର ପ୍ରଦର୍ଶନ । ଯାହାକି ଲୋକଙ୍କୁ ଭରପୁର ମନୋରଂଜନ ଦେଇଥିଲା । ଯେଉଁଥି ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲା ପ୍ରଶାସନ । ସକାଳ ସାଢେ ୬ଟା ଠାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢେ ୧୦ ପର୍ଯ୍ୟନ୍ତ ଏହି ପଥୋଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ମୁଖ୍ୟ ରାସ୍ତା ଲୋକାରଣ୍ୟ ହୋଇପଡିଥିଲା । ତୃତିୟ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ସହିଦ୍ ଲକ୍ଷ୍ମଣ ନାୟକ ପଥ ଉତ୍ସବ ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସଭିଏଁ ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲେ ଏଥିରେ ସାମିଲ ହେବା ପାଇଁ । ପ୍ରଶାସନ ନିକଟରେ ପୂର୍ବରୁ ନାମାଙ୍କନ କରାଯାଇଥିବା ୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଏଥିରେ ହାଇଦ୍ରାବାଦର କଣ୍ଢେଇ ନାଚ ସହ ସ୍ଥାନୀୟ କଳାକାରଙ୍କୁ ସ୍ଥାନ ଦିଆଯାଇଥିଲା ।
ମ୍ୟୁଜିକାଲ ଚେୟାର, ପିଲାଙ୍କ ଖେଳ, ଆଖଡା, ବାଲୁକା ଶିଳ୍ପୀ ପ୍ରଭାକର ମହାରଣାଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଶଙ୍ଖ, ଚକ୍ର ନିର୍ମାଣ କରିଥିଲେ । ଯାହାକି ବହୁତ ଆକର୍ଷଣ ହୋଇଥିଲା । ପତାଞ୍ଜଳି ଯୋଗ ସମିତି ଦ୍ୱାରା ଯୋଗ, ରୋଙ୍ଗଲି ଝୋଟି, ମେହେନ୍ଦି, ଶିଶୁ କଳା, ଫେସନ ସୋ, ନୃତ୍ୟ, ମ୍ୟାଜିକ୍, ପେପର କ୍ରାଫ୍ଟ, ବର୍ଜ୍ୟବସ୍ତୁର ବ୍ୟବହାର, ସଂକିର୍ତନ ଆଦି ପ୍ରଦର୍ଶନ କରାଯାଇଥିଲା । ଉପସ୍ଥିତ ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା ।