ବଲାଙ୍ଗିର, ନିର୍ଭିକତା ଭରି ରହିଥିଲା ଦିବଂଗତ ସତ୍ୟନାରାୟଣଙ୍କ ଭିତରେ। ସେ ନିରପେକ୍ଷତା ସହ ସାହସୀ ଥିଲେ । ସାମ୍ବାଦିକଙ୍କୁ ଭଲପାଉଥିଲେ । ବହୁ ପ୍ରସଙ୍ଗ ସେ ତାଙ୍କ ଲେଖନୀରେ ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ । ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରା ସାମ୍ବାଦିକ ଜଗତର ଭିଷ୍ମ ପିତାମହ ଥିଲେ ବୋଲି ଗତକାଲି ସନ୍ଧ୍ଯାରେ ପି.ପି. ଏକାଡେମୀ ଠାରେ ଅନୁଷ୍ଠିତ ସ୍ମୃତିସଭାରେ ଅତିଥି ଓ ବକ୍ତାଗଣ ମତବ୍ୟକ୍ତ କରିଛନ୍ତି ।
ସତ୍ୟନାରାୟଣ ବେହେରାଙ୍କ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭା ଓ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ସ୍ବର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ‘ସାଂପ୍ରତିକ ସମାଜରେ ସାମ୍ବାଦିକତା’ ଶିର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବରେ କବି ଭାଗିରଥି ମିଶ୍ର ଏବଂ ସଂଗଠକ ଧର୍ମେନ୍ଦ୍ର ନନ୍ଦ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର ଦିବଂଗତ ସତ୍ୟନାରାୟଣ ବେହେରାଙ୍କ ସ୍ମୃତିଚାରଣ କରି କହିଥିଲେ, ସତ୍ୟଙ୍କ ସହିତ ମୋର ଘନିଷ୍ଠ ବନ୍ଧୁତା ଥିଲା । ବିଷ୍ଣୁ ସେଠ, ସତ୍ୟନାରାୟଣ ବେହେରା ଏବଂ ମୁଁ ତିନିଜଣ ଘନିଷ୍ଠ ବନ୍ଧୁ ଥିଲୁ । ମୁଁ ଓକିଲାତି କରିବା ସହିତ ରାଜନୀତି କରୁଥିଲି । ସେପଟେ ମୋ ସାଙ୍ଗ ବିଷ୍ଣୁ ସେଠ ଶିକ୍ଷକତା କରୁଥିଲେ । ସତ୍ୟ ସାମ୍ବାଦିକତା ସହିତ ଜଣେ କଳାକାର ଥିଲେ । ତିନି ଜଣ ଭିନ୍ନ ଭିନ୍ନ ପ୍ରଫେସନର ଥିଲେ ମଧ୍ୟ ବନ୍ଧୁତା ଘନିଷ୍ଠ ଥିଲା । ସତ୍ୟ କାହା ପାଖରେ ହାତ ପତାଉ ନଥିଲେ । ବହୁ ବାଧାବିଘ୍ନ ସତ୍ବେ ନିଜର ଅସ୍ତିତ୍ଵ ବଜାୟ ରଖିଥିଲେ । ସେ ଜଣେ ସାହାସୀ ସାମ୍ବାଦିକ ହୋଇ ନିର୍ଭିକ ଭାବରେ ଖବର ପରିବେଷଣ କରୁଥିଲେ । ସାମ୍ବାଦିକଜଗତର ଭିଷ୍ମପିତାମହ ଥିଲେ ସତ୍ୟ ବୋଲି ବିଧାୟକ କହିଥିଲେ ।
ସଭା ପ୍ରାରମ୍ଭରେ ଦିବଂଗତ ସତ୍ୟନାରାୟଣ ବେହେରାଙ୍କୁ ଅତିଥି ଓ ଉପସ୍ଥିତ ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ, ବୁଦ୍ଧିଜୀବୀ, ସ୍ବର୍ଗତ ବେହେରାଙ୍କ ପରିବାରବର୍ଗ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଇ ଶ୍ରୀରାମ ଓ ସାଇ ବିନାୟକ ବେଦମନ୍ତ୍ର ପାଠ କରିଥିଲେ । ସାମ୍ବାଦିକ ପ୍ରଦୀପ୍ତ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ । ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକା ଜୋସ୍ନାରାଣୀ ଦାସ ଆଲୋଚନାଚକ୍ର ପରିଚାଳନା କରିଥିଲେ। ଏହି ଅବସରରେ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ଓ ଡ.ବେଣୁଧର ପାଣ୍ଡେ ସ୍ମୃତିକୁ ନେଇ ନିଜ ଲିଖିତ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକ ବିଶ୍ଵଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ସହରର ଶତାଧିକ ବୁଦ୍ଧିଜୀବୀ , ବରିଷ୍ଠ ନାଗିରକ ମଂଚର କର୍ମକର୍ତା, ନାଗରିକ କମିଟି, ମାହେଶ୍ଵରୀ ସଂଗଠନ, ସଂପୂର୍ଣ୍ଣା ମହିଳା ସଂଗଠନ, ସଖି ସେଣ୍ଟରର କର୍ମକର୍ତ୍ତା, ବିଜେପି ମହିଳା ମୋର୍ଚ୍ଚା, କଣ୍ଟାବାଞ୍ଜି ପ୍ରେସ କ୍ଲବର କର୍ମକର୍ତ୍ତା, ପାଟଣାଗଡ ସାମ୍ବାଦିକମାନଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ୨୯ ତାରିଖରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଇହଧାମ ତ୍ୟାଗ କରିଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା । ତାଙ୍କ ବିୟୋଗରେ ଜିଲ୍ଳା ସାମ୍ବାଦିକ ଜଗତରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ । ସ୍ଵର୍ଗତ ବେହେରା ୧୯୩୯ ମସିହା, ପବିତ୍ର ଜନ୍ମାଷ୍ଟମୀ ଦିନ ଜନ୍ମଗ୍ରହଣ କରିଥିଲେ । ତେଣୁ ତାଙ୍କ ଜୀବିତ ଅବସ୍ଥାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ଦିନ ବିଭିନ୍ନ ଜାଗାରେ ତାଙ୍କ ଉପସ୍ଥିତିରେ ଜନ୍ମଦିବସ ପାଳନ କରାଯାଉଥିଲା । କିନ୍ତୁ, ଏଥର ଜନ୍ମଷ୍ଟମୀ ସମୟରେ ସତ୍ୟନାରାୟଣ ବେହେରା ଇହଜଗତରେ ନଥିଲେ । ତେଣୁ ତାଙ୍କୁ ସ୍ମରଣ କରିବାକୁ ସ୍ମୃତିସଭା ଆୟୋଜନ କରାଯାଇଥିଲା ।