ଖୋର୍ଦ୍ଧା, ସ୍ଥାନୀୟ ଓସୱାନ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପାଣି ଘେରରେ ଥିବା ଲୋକ ମାନଙ୍କୁ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରଦାନ ଅବ୍ୟାହତ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଜଳ ଛାଡିବା ପରେ ପାନୀୟ ଜଳ, ସ୍ଵାସ୍ଥ୍ୟ, ସଡକ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଜଳଉତ୍ସ ଏବଂ ନଳକୂପ ବିଶୋଧନ, ଜନସ୍ଵାସ୍ଥ୍ୟ, ପଶୁସ୍ଵାସ୍ଥ୍ୟ ଉପରେ ଗୁରୁତ୍ଵ ଦେବା ନିମନ୍ତେ ବୈଠକରେ ଆଲୋଚନା ହୋଇଛି । ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ଗୁଡିକର କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଂଚିତ ନହୁଅନ୍ତି । ଏପରିକି ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି । କୃଷି, ଉଦ୍ୟାନ କୃଷି, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ବାସଗୃହ, ପ୍ରାଣୀଧନ, ମତ୍ସ୍ୟ, ସଡ଼କ ସମେତ ବିଭିନ୍ନ ବିଭାଗୀୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ନିମନ୍ତେ ପ୍ରତି ବ୍ଲକସ୍ତରରେ ଟିମ୍ ଗଠନ କରାଯିବ । ଉକ୍ତ ଟିମରେ ପଂଚାୟତିରାଜ, ରାଜସ୍ଵ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ରହିବେ । ଏହି ଟିମ୍ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ସହ ଆକଳନ ବେଳେ ସମ୍ପୃକ୍ତ ହିତାଧିକାରୀଙ୍କ କ୍ଷୟକ୍ଷତି ସ୍ଥାନର ଫଟୋ ଜିଓଟ୍ୟାଗିଂ କରିବେ ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା ମିଶ୍ର, ବିଭାଗୀୟ ଅଧିକାରୀ ଓ ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।