ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧଗୋଠ ଗ୍ରାମରେ ଘଟିଛି ଅଘଟଣ । ସ୍ଵାମି ସ୍ତ୍ରୀ ଘରେ ଶୋଇଥିବା ସମୟରେ ବାହାର ପଟୁ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ଦୁର୍ବୃତ । ଫଳରେ ନିଆଁରେ ପୋଡି ହୋଇ ଉଭୟ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଦୁହିଁଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଗୁତୁତର ଦ୍ଵୟ ହେଲେ ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ ।
ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀ ଖାଇ ସାରିବା ପରେ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ ଆସି ପ୍ରଥମେ ତାଙ୍କ ଘର ସମେତ ଆଖପାଖ ପଡୋଶୀଙ୍କ ଘର ଗୁଡିକରେ ବାହାର ପଟୁ ତାଲା ପକାଇ ଥିଲେ । ପରେ ଉଗ୍ରସେନଙ୍କ ଘର ଉପରେ ପେଟ୍ରୋଲ୍ ପକାଇ ନିଆଁ ଲଗାଇଥିଲେ । ଦମ୍ପତିଙ୍କ ଚିତ୍କାର ଶୁଣି ଆଖପାଖ ପଡୋଶୀ ଘର ଗୁଡିକରେ ମଧ୍ୟ ବାହାର ପଟୁ ତାଲା ପଡିଥିବା କାରଣରୁ ଚେଷ୍ଟା କରିଥିଲେ ମଧ୍ୟ ଶିଘ୍ର ଆସିପାରି ନଥିଲେ । କିଛି ସମୟ ପରେ ଆସି ଉଗ୍ରସେନଙ୍କ ଘରେ ପଡିଥିବା ତାଲାକୁ ଭାଙ୍ଗି ଖୋଲିଥିଲେ । ସେତେବେଳକୁ ଉଭୟ ସ୍ଵାମୀ ସ୍ତ୍ରୀ ନିଆଁରେ ପୋଡି ହୋଇ ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଆଜି ସକାଳେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।