ମାଲକାନଗିରି,ମାଲକାନଗିରି ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ସ୍ତ୍ରୀଙ୍କ ନାଁରେ ରାଶନ କାର୍ଡ କରାଇଥିବା ଅଭିଯୋଗ ହୋଇଛି । ଏମିତିକି ମ୍ୟୁନିସିପାଲିଟି ଲ୍ୟାଣ୍ଡ୍ ରାଇଟ୍ସରେ ଜମି ପଟ୍ଟା ହାତେଇବା ପାଇଁ ଏହି କାର୍ଡ ବ୍ୟବହାର କରାଯାଇଛି । ମାଲକାନଗିରି ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କ ସ୍ତ୍ରୀ ବିନୋତାରାନି ମଣ୍ଡଲଙ୍କ ନାଁରେ ରାଶନ କାର୍ଡ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ପୌର ପରିଷଦ ପକ୍ଷରୁ ନୋଟିସ କରାଯାଇଛି ।
ସୂଚନାଯୋଗ୍ୟ, ଯେଉଁ ବ୍ୟକ୍ତି ଦୀର୍ଘ ବର୍ଷ ଧରି ସରକାରୀ ଜାଗାରେ ରହି ଆସୁଛନ୍ତି ତାଙ୍କୁ ସରକାରୀ ନିୟମ ଅନୁଯାୟୀ ମ୍ୟୁନିସିପାଲିଟି ଲ୍ୟାଣ୍ଡ ରାଇଟରେ ଜମି ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ପଟ୍ଟା ପାଇଁ ରାଶନ କାର୍ଡଧାରୀ ୧୦ ,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡ଼ିବ । ମାଲକାନଗିରି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀଙ୍କ ନାଁରେ ଡିଏନ୍କେ ସହରାଞ୍ଚଳ ବସ୍ତିରେ ଏକ ଜାଗା ରହିଛି । ୨୦୨୦ ରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ପଟ୍ଟା ପ୍ରଦାନ ନିମନ୍ତେ ନିୟମ ହେବାପରେ ସର୍ଭେ କରାଯାଇଥିଲା । ଏହି ସମୟରେ ବିନୋତାରାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ପଟ୍ଟା ପ୍ରଦାନ ବେଳେ ପୌର ପରିଷଦ ପକ୍ଷରୁ ରାଶନ କାର୍ଡ ମଗାଯିବାରୁ ବିନୋତାରାନି ତାହା ଦାଖଲ କରିଥିଲେ । ଉକ୍ତ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ଥିବା ସତ୍ତ୍ବେ ଅଧିକ ଖଜଣା ଦେବାରୁ ବର୍ତ୍ତିବା ଲାଗି ରାଶନ କାର୍ଡ ଦେଇଥିଲେ । ତେବେ ରାଶନ କାର୍ଡରେ ସ୍ଵାମୀଙ୍କ ନାମ ନ ରହି ବାପାଙ୍କ ନାଁ ଉଲ୍ଲେଖ ଥିବାରୁ ତାଙ୍କ ପରିଚୟ ସାମ୍ନାକୁ ଆସି ନ ଥିଲା । ଫଳରେ ବିନୋତାରାନିଙ୍କୁ ସ୍ଵଳ୍ପ ଖଜଣାରେ ପଟ୍ଟା ମିଳିଥିଲା । ପରବର୍ତ୍ତୀ ସମୟରେ ସେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କୁ ନୋଟିସ କରାଯାଇଛି ।
ଏ ନେଇ ମାଲକାନଗିରି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିନୋତାରାନି ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ବୋଲି ଜଣାପଡ଼ିବା ପରେ ତାଙ୍କ ନାମରେ ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଇଛି । ସେହିପରି ଏ ବିଷୟରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଲଙ୍କୁ ପଚାରିବାରୁ ସେ କହିଛନ୍ତି, ବିବାହ ପୂର୍ବରୁ ଶ୍ବଶୁରଙ୍କ ନାଁରେ ରାଶନ କାର୍ଡ ଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ବସ୍ତିବାସିନ୍ଦାଙ୍କ ସର୍ଭେ ସମୟରେ ସ୍ତ୍ରୀଙ୍କ ନାମରେ ପଟ୍ଟା ହୋଇଛି । ତେବେ ସ୍ତ୍ରୀଙ୍କୁ କରାଯାଇଥିବା ନୋଟିସ ବିଷୟରେ ଅଧିକ କିଛି ଜାଣି ନ ଥିବା ସେ କହିଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣା ସାମ୍ନାକୁ ଆସିବା ପରେ ମାଲକାନଗିରିରେ ଏମିତି ଆଉ କେତେଜଣ ସରକାରୀ ପଦବୀରେ ଥିବା ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ରାଶନ କାର୍ଡ ରହିଛି ତାହାର ତଦନ୍ତ ନିମନ୍ତେ ବୁଦ୍ଧିଜୀବୀ ଦାବି କରିଛନ୍ତି ।