
ଭୁବନେଶ୍ୱର, ଅବପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ ରେ ୭ଟି ଗେଟ୍ ଖୋଲିଛନ୍ତି । ସେଠାରୁ ୧ ଲକ୍ଷ ୫ ହଜାର କ୍ୟୁସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ , ମାତ୍ର ବନ୍ୟା ସମ୍ଭାବନା କମ୍ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ ।କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ଅପରପକ୍ଷରେ ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଓ କେନ୍ଦୁଝର ରେ ଜଣେ ଲେଖାଏଁ ଏବଂ ମୟୁରଭଞ୍ଜ ଜିଲ୍ଲାରେ ୨ ଜଣଙ୍କ କାନ୍ଥ ପଡିବାରୁ ମୃତ୍ୟୁ ଘଟିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ହୋଇଛି । ଯାହାର ପ୍ରଭାବରେ ତେଲ୍ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ବନ୍ୟାଜଳ ପାସ କରିବ । ଏହା ୩୬ ଘଂଟା ପର୍ଯ୍ୟନ୍ତ ଲାଗି ରହିବ । ବନ୍ୟା ପ୍ରଭାବିତ ଅଂଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଘର ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟାକୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ ଟି ଗେଟ୍ ବନ୍ଦ କରାଯାଇଛି । ୪ ଟି ଗେଟ୍ ଖୋଲା ରହିଛି ।