ନୂଆପଡ଼ା, ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଶବ ରଖି ରାସ୍ତାରୋକ କରିଛନ୍ତି। ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅରେଡ଼ା ଗାଁର ଜଙ୍କସନ ଶବର ଗତକାଲି ସଂଧ୍ୟାରେ ଅରେଡ଼ା ଛକରେ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାହାକୁ ନେଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଗାଁ ଲୋକେ। ଖଡ଼ିଆଳ କଣ୍ଟାବାଞ୍ଜି ଜାତୀୟ ରାଜପଥ ନମ୍ବର ୫୯ ଅରେଡା ଛକ ଠାରେ ରାସ୍ତା ଅବରୋଧ କରି ମୃତକଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଅରେଡ଼ା ଛକରେ ଜାତୀୟ ରାଜପଥ ଉପରେ ହମ୍ପସ ତିଆରି ପାଇଁ ମଧ୍ୟ ଦାବି କରିଛନ୍ତି। ଘଟଣାସ୍ଥଳରେ ଖଡ଼ିଆଳ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ପୁଲିସ ଦଳ ସହ ପହଞ୍ଚିଥିବା ବେଳେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପିନ୍ଦର ସିଂ ଆସି ଅବରୋଧକାରୀଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ସମାଧାନ ହୋଇ ପାରିନି। ରାସ୍ତା ରୋକ ଯୋଗୁଁ ଦୁଇ ପଟରେ ଶହ ଶହ ଗାଡି ଅଟକି ରହିଛି ଓ ଯାତାୟାତ ସମ୍ପୂର୍ଣ ଠପ ହୋଇ ପଡ଼ିଛି।
ମୃତକ ଜଣକ ବେସରକାରୀ ବିଦ୍ୟାଳୟର ଶିକ୍ଷକ ଥିବା ବେଳେ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ନିଃସହାୟ ହୋଇ ପଡିଛି।