କନ୍ଧମାଳ,ଆଜି ମଧ୍ୟ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରୀ ରହିଛି। ପ୍ରବଳ ବର୍ଷାରେ ଜିଲାର ବିଭିନ୍ନ ନଦୀ ଓ ନାଳରେ ବନ୍ୟା ଜଳ ଆସିବା ଫଳରେ ବେହାଲ ହୋଇପଡିଛି ସମଗ୍ର କନ୍ଧମାଳ। ଜିଲ୍ଲା ସାରା ଝିପି ଝିପି ବର୍ଷା ଗତ ତିନି ଦିନ ଧରି ଲାଗି ରହିଛି । ଯାହାର ପ୍ରଭାବରେ ଜିଲ୍ଲାର ଅଧିକାଂଶ ନଦୀରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି । ତୁମୁଡିବନ୍ଧ ବ୍ଲକର ସରଧାପୁର ନିକଟସ୍ଥ ପୋଲ ବନ୍ୟାରେ ଧୋଇଯାଇଛି । ଫଳରେ ଡଡଙ୍ଗ, ବେତବାଡି, ସରଧାପୁର ଆଦି ଅଞ୍ଚଳର ଲୋକେ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ସେସବୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।
ସେହିଭଳି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ଗ୍ରାମପଞ୍ଚାୟତର ପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ମଧ୍ୟ ଧୋଇ ହୋଇଯାଇଛି । ଫଳରେ ତବିନୀପଦର, ପଥରଖୋଲ, ଲାମପଦର ଆଦି ତିନିରୁ ଉର୍ଦ୍ଧ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କଚ୍ଚାଘର ଭୁଶୁଡି ପଡିଥିବା ଖବର ମିଳିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ସତର୍କ ଦୃଷ୍ଟି ରଖିବା ସହ ମରାମତି କରି ଗମନାଗମନର ସୁବ୍ୟବସ୍ଥା ନେଇ ପଦକ୍ଷେପ ନେଉଥିବା କହିଛି।