
ପୁରୀ, ୫୮ ଜଣ ଶିକ୍ଷାନବୀଶ ଓଡିଶା ପ୍ରଶାସନିକ ଅଧିକାରୀ ବା ଓଏଏସ୍ ଙ୍କୁ ଜମି ଅଧିଗ୍ରହଣର ବିଭିନ୍ନ କାର୍ଯ୍ୟ ଧାରା ସମ୍ପର୍କରେ ବିସ୍ତୃତ ଅବଗତ କରାଯାଇଛି। ବୁଧବାର ଜିଲ୍ଲାରେ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନଷ୍ଟ୍ରେସନର ଅତିରିକ୍ତ ନିର୍ଦ୍ଦେଶକ ବିଭୁତି ଭୂଷଣ ମିଶ୍ରଙ୍କ ତତ୍ଵାବଧାନରେ ପୁରୀ ଜିଲ୍ଲାରେ ପହଞ୍ଚିବା ପରେ ସମସ୍ତ ଶିକ୍ଷାନବୀଶଙ୍କୁ ନୋଡ଼ାଲ ଅଫିସର ନିଜାରତ ଅଧିକାରୀ ପର୍ଶୁରାମ ମଲ୍ଲିକ ଓ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ଵାଗତ କରିଥିଲେ। ପରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ଶିକ୍ଷାନବୀଶ ଓଏଏସ ମାନଙ୍କୁ ଜମି ଅଧିଗ୍ରହଣ ଓ ଥଇଥାନ ସମ୍ପର୍କରେ ବିଷଦ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଜମି ଅଧିଗ୍ରହଣ କୈଳାସ ଚନ୍ଦ୍ର ନାୟକ ଏହି ପ୍ରଶିକ୍ଷଣ ପ୍ରଦାନ ସହ ସେମାନଙ୍କର ବିଭିନ୍ନ ଜିଜ୍ଞାସାର ସମାଧାନ କରିଥିଲେ। ସେହିପରି ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା ମଧ୍ୟ ବିବିଧ ସୂଚନା ପ୍ରଦାନ କରିଥିଲେ। ପରେ ପରେ ଏହି ଶିକ୍ଷାନବୀଶ ମାନେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ସ୍ଥଳୀ ପରିଦର୍ଶନ ଓ ଶ୍ରୀମନ୍ଦିର ଦର୍ଶନ କରିଥିଲେ।