ମାଲକାନଗିରି,ମାଟ୍ରିକ ପାସ ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ସ୍ବାଭିମାନ ଅଞ୍ଚଳର ଛାତ୍ରଛାତ୍ରୀମାନେ ମହାବିଦ୍ଯାଳୟ ନଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ଅନ୍ଯ ରାଜ୍ଯକୁ ଯିବାକୁ ବାଧ୍ଯ ହେଉଛନ୍ତି । ଉଚ୍ଚ ଶିକ୍ଷାର ଯେଉଁ ସ୍ବପ୍ନ ରହିଛି ଧୀରେ ଧୀରେ ତାହା ମଉଳି ଯାଉଛି । ବିଶେଷ କରି ମହାବିଦ୍ୟାଳୟଗୁଡ଼ିକ ସ୍ବାଭିମାନ ଅଞ୍ଚଳରୁ ଦୂରରେ ଅବସ୍ଥାପିତ ହୋଇଥିବାରୁ ପଢ଼ିବାକୁ ଯାଇ ପାରୁନାହାନ୍ତି ଆଦିବାସୀ ଛାତ୍ରଛାତ୍ରୀ । ତେଣୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ମାଟ୍ରିକ ପାସ ପରେ ପାଠପଢା ଛାଡ଼ି ଦେଉଛନ୍ତି । ଏହାର ଏକ ନଗ୍ନନମୁନା ହେଉଛି ସ୍ବାଭିମାନ ଅଞ୍ଚଳର ପଣସପୁଟ , ଜୋଡ଼ାମ୍ବ , ବଡ଼ପଡ଼ା , ବଡ଼ପଦର , ଧୂଳିପୁଟ , ଗାଜଲମାମୁଡ଼ି , ଅଣ୍ଡ୍ରାପାଲ୍ଲୀ , ପାପରମେଟଲା , ରାଲେଗେଡ଼ା , ପ୍ରଭୃତି ପଞ୍ଚାୟତ ଗୁଡ଼ିରେ ଭାରତ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ଯ ଗୋଟିଏ ହେଲେ ମହାବିଦ୍ୟାଳୟ ସ୍ବାଭିମାନ ଅଞ୍ଚଳରେ ସ୍ଥାପିତ ହୋଇ ପାରି ନାହିଁ । ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବାଲିମେଳା କିମ୍ବା ଚିତ୍ରକୋଣ୍ଡା ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ନାମ ଲେଖାନ୍ତି । ତେବେ ଯୁକ୍ତ କଳା ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ କୁଡୁମୁଲୁଗୁମ୍ମା ଯିବାକୁ ପଡିଥାଏ । ସେହିପରି ଯୁକ୍ତ ତିନି ପାଇଁ ମଧ୍ୟ ବାଲିମେଳା ଓ ମାଲକାନଗିରି ସଦର ମହକୁମାରେ ଥିବା ମହାବିଦ୍ଯାଳୟ ଉପରେ ନିର୍ଭର କରନ୍ତି ସ୍ବାଭିମାନ ଅଞ୍ଚଳର ଛାତ୍ରଛାତ୍ରୀମାନେ । ତେବେ ମାଲକାନଗିରି ଜିଲ୍ଲାରେ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀମାନଙ୍କ ହାର ୫୪ ପ୍ରତିଶତ ରହିଥିବା କୁହାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ଅଧିକ ହେବ ବୋଲି ଅନୁମେୟ । ବିଶେଷ କରି ଆଦିବାସୀ ଛାତ୍ରୀଙ୍କ କ୍ଷେତ୍ରରେ ଡ୍ରପ୍ଆଉଟ୍ ହାର ଅଧିକ ରହିଥିବା ବେଳେ ମାଟ୍ରିକ୍ ପାଶ ପରେ ମଧ୍ୟ କଲେଜ ପ୍ରାଙ୍ଗଣ ମାଡି ପାରୁ ନାହାନ୍ତି ଛାତ୍ରୀମାନେ । ତେବେ ସରକାରଙ୍କ ପକ୍ଷରୁ କିଛି ଉଚ୍ଚ ବିଦ୍ୟାଳୟକୁ ୨ ପାଠ୍ଯକ୍ରମ କରିବା ଲାଗି ଯୋଜନା ରହିଥିବା ବେଳେ ଏହା ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେବ କି ନାହିଁ ସନ୍ଦେହ ଉଦ୍ରେକ ହୋଇଛି । ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ ପ୍ରାୟ ୫ଟି ଉଚ୍ଚ ବିଦ୍ୟାଳୟକୁ ୨ କୁ ଉନ୍ନିତ ହେବା ପାଇଁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । ତେବେ ସ୍ବାଭିମାନ ଅଞ୍ଚଳରେ ୨ ଅଧ୍ଯୟନ ଲାଗି ଆଜି ପର୍ଯ୍ଯନ୍ତ ରାଜ୍ଯ ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବାକୁ ବାଧ୍ଯ ହେଉଥିବା ଜଣାପଡିଛି ।
Related Stories
November 23, 2024