ଭୁବନେଶ୍ୱର, ରାଜଧାନୀର ଖାରବେଳନଗର ଥାନା ଅଂଚଳରେ ଜଣେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ତାଙ୍କ ତାଙ୍କ ଘରୁ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ ମିନୁଶ୍ରୀ ପ୍ରହରାଜ (୫୨) । କମିଶନରେଟ୍ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ କିଭଳି ମୃତ୍ୟୁବରଣ କଲେ ସେନେଇ ସ୍ୱାମୀଙ୍କୁ ପଚରା ଉଚରା ଜାରି ରହିଛି ।
ସୂଚନା ଅନୁସାରେ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ପ୍ଲଟ ନମ୍ବର ୨୪ରେ ମିନୁଶ୍ରୀ ପ୍ରହରାଜ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ । ଗୁରୁବାର ଦିନ ପ୍ରାୟ ୧୧ ଟା ବେଳେ ମିନୁଶ୍ରୀଙ୍କ ମୃତଦେହ ତାଙ୍କ ଘରେ ପଡି ରହିଥିବା ସୂଚନା ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସ୍ ମହିଳାଙ୍କ ମୃତଦେହ ଜବତ କରିଛି ଏବଂ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହାସହ ମିନୁଶ୍ରୀଙ୍କ ସ୍ୱାମୀ ବିଷ୍ଣୁ ମୋହନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି । ତେବେ ବିଷ୍ଣୁ ମୋହନ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଶେଷ ଥର ପାଇଁ ବୁଧବାର ରାତି ୯ଟା ୩୦ରେ ଦେଖିଥିଲେ । ଘଟଣାର ତଦନ୍ତ ସରିଲା ପରେ ମିନୁଶ୍ରୀଙ୍କ ମୃତ୍ୟୁ ସଂପର୍କରେ ଅଧିକ କହି ହେବ ବୋଲି ପୋଲିସ କହିଛି । ଅପରପକ୍ଷରେ ମହିଳା ଜଣକ କିରୋସିନ୍ ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି ।