କନ୍ଧମାଳ, ଆଜି ପବିତ୍ର ଜନ୍ମାଷ୍ଟମୀ ଓ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ। ଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେ ଧୁମ ଧାମରେ ଜନ୍ମାଷ୍ଟମୀ ପୂଜା ଚାଲିଥିବା ବେଳେ ଦୁର୍ବୁତମାନେ ପଶି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ଵାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆଜି କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲାର ଚକାପାଦ ଓ ଜଲେସପଟା ଆଶ୍ରମରେ ପବିତ୍ର ଜନ୍ମାଷ୍ଟମୀ ପୂଜା ଓ ସ୍ଵାମୀଜିଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି।
ଆଜି ଗୁରୁବାର ଚକାପାଦ ଆଶ୍ରମରେ ସକାଳୁ ସକାଳୁ କଳସ ଶୋଭାଯାତ୍ରା ପରେ ଗୋପୁଜନ, ନାମ ସଂକିର୍ତ୍ତନ, ନଗର ପରିକ୍ରମା, ପୂଜାର୍ଚନା, ଯଜ୍ଞ ଚାଲିଥିବା ବେଳେ ଦୁଇଟାରେ ଅନ୍ନ ଯଜ୍ଞ ଓ ଅପରାହ୍ନରେ ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣା ନନ୍ଦ ସରସ୍ଵତୀ କହିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଓ ଜଲେଶପଟ୍ଟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚକାପାଦରେ ଅତିରିକ୍ତ ଏସପି ଓ ଜି. ଉଦୟଗିରି ଏସଡିପିଓଙ୍କ ତତ୍ଵାବଧାନରେ ପୋଲିସ ଇନସପେକଟରଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ଡେପୁଟି ଏସପି ନିରଞ୍ଜନ ପାଢ଼ୀ କହିଛନ୍ତି ।
ତେବେ ସ୍ଵାମୀ ଲକ୍ଷ୍ମଣା ନନ୍ଦଙ୍କ ସମେତ ୫ ଜଣଙ୍କୁ ହତ୍ୟା ମାମଲାରେ ଜଡିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେହିପରି କନ୍ଧମାଳ ଦଙ୍ଗା ଘଟଣାରେ ୬୩୯ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ୧୧୩ଟି ମାମଲାରେ ୪୦୩ ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିବାବେଳେ ୫ ହଜାର ଅଭିଯୁକ୍ତ ଖଲାସ ହେଇଥିଲେ। ତେବେ ସ୍ଵାମୀଜୀଙ୍କ ମୁଖ୍ୟ ହତ୍ୟାକାରୀଙ୍କୁ ଏଯାଏ ଗିରଫ କରାଯାଇନଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ କରିଛି।