ଭୁବନେଶ୍ୱର,ସମକାଳୀନ ଇଂରାଜୀ ଲେଖାରେ ଓଡ଼ିଆ ସଂସ୍କୃତିର ଛାପ ରହିଛି । ଆମର ଜୀବନଧାରା, ପର୍ବପର୍ବାଣି, କିମ୍ବଦନ୍ତୀ ଓ ଲୋକକଥା ତଥା ଲୋକାଦର୍ଶ ଇତ୍ୟାଦି ଇଂରାଜୀ ଲେଖାମାନଙ୍କରେ ପ୍ରତିଫଳିତ ହେବା ଶୁଭଙ୍କର ବୋଲି ପ୍ରସିଦ୍ଧ କବି ଓ ସମାଲୋଚକ ଡ. ହରପ୍ରସାଦ ଦାସ ଉଲ୍ଲେଖ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଦୀପ୍ତି ପାଇକରାୟଙ୍କ ପୁସ୍ତକ ‘ଷ୍ଟୋରିଜ୍ ଆଟ୍ ମାଇଁ ଡୋରଷ୍ଟେପ୍’ର ଲୋକାର୍ପଣ କରି ଡ. ଦାସ ଉପରୋକ୍ତ ମର୍ମରେ ଓଡ଼ିଆ ସାହିତ୍ୟର ଗୁରୁତ୍ୱ ଉପରେ ମତ ରଖିଛନ୍ତି ।
ଡ. ଦାସ କହିଛନ୍ତି ଯେ ବର୍ଣ୍ଣନା ଓ ଗଳ୍ପକାରିତା ମଧ୍ୟରେ ରହିଥିବା ବ୍ୟବଧାନକୁ କେବଳ ପାଠକ ଅତିକ୍ରମ କରି ତା’ର ବାସ୍ତବ ଜୀବନର ପ୍ରତିଫଳନ ଦେଖିପାରେ । ଶ୍ରୀମତୀ ପାଇକରାୟ ତାଙ୍କ ଲେଖାରେ ବ୍ୟକ୍ତିଗତ ଜୀବନର ଅନୁଭୂତିକୁ ଅଧିକ ମନୋଜ୍ଞ ଭାବରେ ସାର୍ବଜନୀନ ଉପଲବ୍ଧିରେ ପରିଣତ କରିବାରେ ସଫଳ ହୋଇଛନ୍ତି ବୋଲି ଦର୍ଶାଇ ଡ. ଦାସ ତାଙ୍କ ଲେଖକୀୟ ଭବିଷ୍ୟତର ଉଜ୍ଜ୍ୱଳତା କାମନା କରିଛନ୍ତି ।
କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ପ୍ରଫେସର ଡ. ଅସୀମ ରଞ୍ଜନ ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏବର ଭାରତୀୟ ଇଂରାଜୀ ସାହିତ୍ୟରେ ସ୍ଥାନୀୟତା, ସାଂସ୍କୃତିକ ବିବିଧତା, ବ୍ୟକ୍ତିଗତ ଘଟନାୟନର ବିଶ୍ଳେଷଣ ବିଶେଷ ଭାବରେ ରୂପାୟିତ ହୋଇଛି ବୋଲି ଦର୍ଶାଇ ଦୀପ୍ତି ଲେଖିକାଙ୍କ କୃତିର ଅନୁକୂଳ ଦିଗଗୁଡ଼ିକ ଉପରେ ଆଲୋକପାତ କରିଥିବାବେଳେ ବିଶିଷ୍ଟ ଲେଖକ ଡ. ରାଜେନ୍ଦ୍ର ପାଢ଼ୀ ପୁସ୍ତକର ବିସ୍ତୃତ ସମୀକ୍ଷା କରିଥିଲେ ।
ଲେଖିକା ଦୀପ୍ତି ପାଇକରାୟ ଲିଖନକର୍ମକୁ ଏକ ଆଧ୍ୟାତ୍ମିକ ପ୍ରେରଣା ଓ ଅନ୍ତର୍ଯାତ୍ରା ଭାବରେ ଅଭିହିତ କରି ନିଜ ସୃଜନ ଅନୁଭୂତି ବର୍ଣ୍ଣନା କରିବା ସହିତ ପାଠକମାନଙ୍କ ଶୁଭେଚ୍ଛା କାମନା କରିଥିଲେ ।
ସୁଲେଖକ ତଥା ଖୋର୍ଦ୍ଧା କଲେଜର ପ୍ରାକ୍ତନ ଇଂରାଜୀ ମୁଖ୍ୟ ଡ. ନନ୍ଦକିଶୋର ବିଶ୍ୱାଳ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ତୁଳନାତ୍ମକ ସାହିତ୍ୟର ରୂପରେଖ ଆଲୋଚନା କରିବା ସହିତ ଅତିଥିମାନଙ୍କ ସଂପର୍କରେ ସୂଚନା ଦେଇଥିଲେ । ସେ ସାହିତ୍ୟର ବ୍ୟାପକତା ନେଇ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ସୁବାସ ଚନ୍ଦ୍ର କୁମାର ଲେଖିକାଙ୍କ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ଓ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି ସୂର୍ଯ୍ୟ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଲେଖକ, ସମାଲୋଚକ, ସାହିତ୍ୟାନୁଷ୍ଠାନର ପ୍ରତିନିଧି ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।