ବଲାଙ୍ଗିର/ଟିଟିଲାଗଡ, ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଗତ ମଙ୍ଗଳବାର ଦିନ ଅଭିଯୋଗ ଶୁଣାଣି ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଷଲକର ଡୁଗୁଡୁ,ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପିଡ଼ିଡ଼ିଆରଡିଏ ସୁଶାନ୍ତ ସିଂ ପ୍ରମୁଖ ଆସିଥିବା ବେଳେ ଯୋଗାଣ ବିଭାଗର ଅନିୟମିତତା ଓ ମାନମାନି କାର୍ଯ୍ୟକଳାପକୁ ନେଇ ବ୍ଲକ ସରପଞ୍ଚ ସଂଘ ସଭାପତି ବୀରବର ସାହୁଙ୍କ ନେତୃତ୍ଵରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମ ପଞ୍ଚାୟତ ଜରିଆରେ ଗରିବ ପରିବାରକୁ ରିହାତି ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ପଞ୍ଚାୟତ ମୁଖିଆ ତଥା ସରପଞ୍ଚଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଥିବା ନେଇ ଅଭିଯୋଗ ଉଠିଛି। ନିର୍ବାଚିତ ସରପଞ୍ଚ ମାନେ ଯୋଗାଣ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ଜାଣି ପାରୁ ନ ଥିବା ତଥା ବିଭାଗ ପକ୍ଷରୁ ସେମାନଙ୍କୁ ଅବଗତ କରାଯାଉ ନଥିବା ନେଇ ଅଭିଯୋଗ ହୋଇଛି।ପଞ୍ଚାୟତ ପକ୍ଷରୁ ଟଙ୍କାକିଆ ଚାଉଳ ବିକ୍ରି ନେଇ ସରକାର ୮୦ ପଇସା କମିସନ ବାବଦରେ ଦେଉଥିବା ବେଳେ ଖାଲି ଆଖା ବସ୍ତା ବିକ୍ରିରୁ ମାସକୁ ମାସ ଆସୁଥିବା ଟଙ୍କା ଆସୁଥିବା ବେଳେ ସେହି ଟଙ୍କା କେଉଁଠି ଓ କିପରି ସରପଞ୍ଚଙ୍କ ଅଜାଣତରେ ରହୁଚି ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ସେହିପରି ସାଧାରଣ ବଣ୍ଟନର ଆୟବ୍ୟୟ ସଂପୃକ୍ତ ପଞ୍ଚାୟତ ବୈଠକରେ ଅନୁମୋଦନ ତଥା ସରପଞ୍ଚଙ୍କ ଦ୍ଵାରା ମଞ୍ଜୁର ହେବା ନେଇ ନିୟମ ରହିଥିବା ଉପଜିଲ୍ଲାପାଳ ତାଙ୍କ ପତ୍ରରେ ସୂଚାଇ ଥିବା ବେଳେ ଯୋଗାଣ ବିଭାଗ ଅଧୀନସ୍ଥ ଅଧିକାରୀ ତଥା ସହାୟକ ଏହାକୁ ମାନୁ ନଥିବା ନେଇ ଅଭିଯୋଗ ହୋଇଛି। ଯୋଗାଣ ସହାୟକ ମାନେ ସାଧାରଣ ବଣ୍ଟନରୁ ଆୟ ବାବଦରେ ସରପଞ୍ଚଙ୍କୁ ଅବଗତ କରୁ ନଥିବା ନେଇ ସରପଞ୍ଚ ମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ସମସ୍ତ ଅଭିଯୋଗକୁ ଗୁରୁତ୍ଵ ଦେବାସହ ଯୋଗାଣ ସହାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
Related Stories
November 24, 2024
November 24, 2024