ଭୁବନେଶ୍ବର, ବନ୍ୟା ଦୃଷ୍ଟିରୁ ଆଗାମୀ 24 ଘଂଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତମାନ ପିକ୍ ମୁଣ୍ଡଳି ଅତିକ୍ରମ କରିଛି । ଏହାକୁ ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ସେ କହିଛନ୍ତି ଯେ ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍ ରହିଥିଲା -୧୨ ଘଣ୍ଟା ପିକ୍ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା। ସେ କହିଛନ୍ତି ଯେ ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କ୍ୟୁସେକ୍ କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କ୍ୟୁସେକ୍ ହେବା ଆଶା ରହିଛି । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍ ପିକ୍ ରହିଥିଲା
ସେ କହିଛନ୍ତି ଯେ ଏଯାଏ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଛି । କାଲି ଦୁଇଟି ହୋଇଥିଲା, ଆଜି ଆଉ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆଜି କୁଶଭଦ୍ରା ନଦୀର ତେଣ୍ଡିଆକୁଦରେ ଗୋଟିଏ ଘାଇ ହୋଇଛି । ସେହିପରି ମହାନଦୀର ତେରମାଣପୁର ଠାରେ ଆଉ ଏକ ଘାଇ ହୋଇଛି । ଶ୍ରୀ ଜେନା କହିଛନ୍ତି ଯେ ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ୍ କରୁଛି ।