ଭୁବନେଶ୍ୱର,ଯୁକ୍ତ ୨ ନାମଲେଖା ପାଇଁ ବୁଧବାର ଅପରାହ୍ନରେ କଟ୍ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଥିବା ବେଳେ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାୟର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି ।
ସୂଚନା ଅନୁଯାୟୀ ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଜୁନିଅର ମହାବିଦ୍ୟାଳୟ ଶୀର୍ଷରେ ରହିଛି । ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଓ ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ଥିବା ଜଣାପଡ଼ିଛି ।
ସେହିପରି ଯୁକ୍ତ ୨ ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ୮୦.୬୭% ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ଥିବା ବେଳେ ୭୯.୮୩% କଟଅଫ୍ ମାର୍କ ସହ ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି ।
କଳାରେ ସର୍ବାଧିକ ୮୩.୫୦% ସହ ପୁରୀର କଣ୍ଡାଖାଇ ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି । ଦ୍ୱିତୀୟରେ ୮୩.୩୩% ସହ ରେଭେନ୍ସା ଥିବା ବେଳେ ୮୩.୧୭% ସହ ତୃତୀୟରେ କଟକ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ରହିଛି ।
ଗତ ଜୁଲାଇ ୨୭ରେବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ବାହାରିଥିଲା । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ଛାତ୍ରଛାତ୍ରୀ ପାସ୍ କରିଥିଲେ । ସେହିପରି ଅଗଷ୍ଟ ୮ ତାରିଖରେ ଯୁକ୍ତ ୨ କଳା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ମୋଟ ୮୨.୧୦ % ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ ।