ପୁରୀ – ଶ୍ରୀକ୍ଷେତ୍ର ପୁରୀରେ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ପୋଲିସ ବିଭିନ୍ନ ସ୍ଥାନରୁ ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇଛି । ଏହି କ୍ରମରେ ସୋମବାର ରାତିରେ କୌଣସି ସୂତ୍ରରୁ ଖବର ପାଇ ଏହି ଟିମ୍ ଦୁଇଟି ସ୍ଥାନରେ ଏନକାଉଂଟର କରି ଦୁଇ ଜଣ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି । ଉଭୟଙ୍କ ଆଣ୍ଠୁ ତଳକୁ ଗୁଳି ଲାଗିଛି ।
ପ୍ରଥମେ ତାଳବଣିଆ ଥାନା ଅନ୍ତର୍ଗତ ଭୂଦାନ ଠାରେ ଟିକି ମିଆଁ ଓରଫ ସିୟାମତ୍ ଖାନ୍ (୩୨) ଓ ତା’ର ଜଣେ ସହଯୋଗୀ ସହିତ କୌଣସି ଅପରାଧିକ କାର୍ଯ୍ୟ ନିମନ୍ତେ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଳବଣିଆ ଥାନା ଅଧିକାରୀ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ସିୟାମତ୍ କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପରେ ପୋଲିସର ପାଲଟା ଜବାବରେ ସେ ଆହତ ହୋଇଥିଲା । ସେ କୁମ୍ଭାରପଡ଼ା ଥାନା ପୋଲିସ ପାଇଁ ମୋଷ୍ଟ ୱାଟେଂଡ୍ ଥିଲା । ତା’ ନାମରେ ବିଭିନ୍ନ ଥାନାରେ ୨୩ ରୁ ଉଦ୍ଧ୍ୱର୍ ମାମଲା ରହିଛି । ତା’ ନିକଟରୁ ଜୀବନ୍ତ ଗୁଳି ଓ ପିସ୍ତଲ ଜବତ କରାଯାଇଛି । ସହରରେ ବାଲି ମାଫିଆ ଭାବେ ଟିକି ବେଶ୍ ପରିଚିତ । ତେବେ ତା’ର ସହଯୋଗୀ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସକ୍ଷମ ହୋଇଛି ।
ସେହିପରି ମଙ୍ଗଳାଘାଟ ନିକଟରେ ବହୁ ଦିନ ଧରି ବ୍ରାଉନସୁଗାର, କୋରେକ୍ସ ବିକ୍ରୀ କରିବା ସହ ସେହି ଅଂଚଳରେ ଧମକ ଚମକ ଦେଇ ଦୋକାନୀମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା ବିଶୁ ଓରଫ ବିଶ୍ୱରଞ୍ଜନ ସାହୁ ପୋଲିସ ଏନକାଉଂଟରରେ ଆହତ ହୋଇଛି । ଗତ ରାତିରେ ମଙ୍ଗଳାଘାଟ ନିକଟରେ ତା’ର ଉପସ୍ଥିତି ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ଚଢ଼ଉ କରିଥିଲା । ବିଶୁ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଂଟରରେ ଆହତ ହୋଇଥିଲା । ନିଶା ବେପାର, ଦାଦା ବଟି ଆଦାୟ ଏବଂ ବେଆଇନ ଭାବେ ଜମି ଦଖଲ ଡ଼କାୟତି, ରାହାଜାନି ଆଦିରେ ତାର ସମ୍ପୃକ୍ତି ରହିଥିଲା । ତା ନିକଟରୁ ଏକ ପିସ୍ତଲ, ଗୁଳି ଓ ବାଇକ୍ କୁ ଜବତ କରିଛି । ଉଭୟଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଉମାଶଙ୍କର ଦାଶ । କେନ୍ଦ୍ରାଚଂଳ ଡିଆଇଜି ଆଶିଷ ସିଂ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ ହୋଇଥିବା ଜଣାପଡିଛି ।