ପୁରୀ,ଭାଦ୍ରବ ମାସ କୃଷ୍ଣପକ୍ଷ ପଚଂମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବେ । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇବେ । ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ । ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ । ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ । ତାପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମ(ଛିଣ୍ଡା କପଡା) ରେ ରୁନ୍ଧା କାର୍ଯ୍ୟ କରିସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ଠା ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି । ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ । ମଧ୍ୟାହ୍ନ ଧୂପ ପରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ ।
ସୁବର୍ଣ୍ଣ ରାହୁରେଖାମାନଙ୍କର ଓଜନ ହେଲା – ଶ୍ରୀ ବଳଭଦ୍ରଙ୍କର ପ୍ରାୟ ୯୬ ତୋଳା, ଦେବୀ ସୁଭଦ୍ରାଙ୍କର ପ୍ରାୟ ୭୬ ତୋଳା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୧୩୫ ତୋଳା ।
ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ଵ ସନ୍ନିହିତ ହୋଇଛି । ଶ୍ରୀଜୀଉଙ୍କ ଚକ୍ଷୁ ଦ୍ଵୟ ସୂର୍ଯ୍ୟ, ଚନ୍ଦ୍ରଙ୍କର ପ୍ରତୀକ । ନାସିକା – ମଙ୍ଗଳ, ଧନୁ ଆକୃତି, ଅଧର-ବୁଧ, ଚତୁଷ୍କୋଣାକୃତି, ଶ୍ରୀମୁଖ-ଶୁକ୍ର, ସୁବର୍ଣ୍ଣ ଚିତା- ବୃହସ୍ପତି, କୃଷ୍ଣ ବର୍ଣ୍ଣ-ଶନି, ଝୋବା କଣ୍ଠି- କେତୁ, ରାହୁରେଖା ରାହୁଙ୍କର ପ୍ରତୀକ ।