
-
ଚାରିଘଂଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ, ଆଜି ରାହୁରେଖା ପଂଚମୀ । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ମୁଖମଣ୍ଡଳରେ ଲାଗିହେବ ସୁବର୍ଣ୍ଣ ରାହୁରେଖା । ଦଇତାପତିମାନଙ୍କ ଦ୍ଵାରା ସମ୍ପନ୍ନ ହେବ ଏହି ଗୁପ୍ତନୀତି । ଏଥିପାଇଁ ଜୟବିଜୟ ଦ୍ଵାର ପ୍ରାୟ ଚାରି ଘଂଟା ବନ୍ଦ ରହିବ । ଏହି ସମୟରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ ନାହିଁ । ପ୍ରଥମ ଭୋଗ ମଣ୍ଡପ ପରେ ପ୍ରାୟ ଅପରାହ୍ନ ପ୍ରାୟ ୨ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି । ଭାଦ୍ରବ କୃଷ୍ଣ ପଂଚମୀରେ ରାହୁରେଖା ପଂଚମୀ ପାଳିତ ହୋଇଥାଏ । ସ୍ନାନପୂର୍ଣ୍ଣମୀ ଦିନ ସ୍ନାନବେଦୀରେ ମହାପ୍ରଭୁ ସ୍ନାନ କରି ଜ୍ଵରରେ ପୀଡିତ ହୋଇଥିଲେ । ଏହି ସମୟରେ ସୁବର୍ଣ୍ଣ ରାହୁରେଖା ଓଲାଗି କରାଯାଇଥିଲା ।
ଶ୍ରୀଜୀଉଙ୍କ ଏହି ନୀତି ସମୟରେ ଜୟବିଜୟ ଦ୍ଵାର ବନ୍ଦ ରହିବ । ମଦନମୋହନ, ଶ୍ରୀଦେବୀ ଭୁଦେବୀଙ୍କୁ ମହାଜନ ସେବକ ଖଟଶେଯ ଘରେ ବିଜେ କରାଇବେ । ପାଟରାସେବକ ପାଟ୍ଟ ସୂତା ଓ ଶୁଦ୍ଧସୁଆର ଓଷ ଯୋଗାଇବେ । ମହାପ୍ରଭୁଙ୍କ ମୁଖମଣ୍ଡଳରେ ଦଇତାପତି ସେବକ ସୁବର୍ଣ୍ଣ ରାହୁରେଖା ସଂସ୍ଥାପନ କରିବେ । ରାହୁରେଖା ଲାଗି ପରେ ମହାପ୍ରଭୁଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ହେବା ସହ ମୁଖମଣ୍ଡଳ ଝଲସିବ । ରାହୁରେଖା ଲାଗି ପରେ ମହାସ୍ନାନ ଅନୁଷ୍ଠିତ ହେବ । ଏହି ବେଶ ଦର୍ଶନ କଲେ ରାହୁ ଓ ଗ୍ରହଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି ।