ବଲାଙ୍ଗିର,ଆଜି ପୂର୍ବାହ୍ନ୧୦ଟା ୩୦ମି. ସମୟରେ ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ନିର୍ମାଣଧିନ ଭୀମଭୋଇ ମେଡିକାଲ କଲେଜ ସ୍ଥିତ ୬୫୦ ଶଜ୍ୟା ବିଶିଷ୍ଟ ନିର୍ମାଣଧିନ ଡାକ୍ତରଖାନା ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୁର୍ତ୍ତ ବିଭାଗ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ଵାସ୍ଥ୍ୟ ବିଭାଗ ତଥା ଜାତୀୟ ରାଜପଥ ବିଭାଗର ବିଭାଗୀୟ ନିର୍ବାହୀ ଯନ୍ତ୍ରୀମାନଙ୍କ ସହିତ ନିର୍ବାଚନ ମଣ୍ଡଳିରେ ଚାଲିଥିବା ସମସ୍ତ ପ୍ରକଳ୍ପମାନ ସମୀକ୍ଷା କରିଥିଲେ। ଭୀମଭୋଇ ମେଡିକାଲ କଲେଜ ପରିସରରେ ନିର୍ମାଣଧିନ ୬୫୦ ଶଜ୍ୟା ବିଶିଷ୍ଟ ଡାକ୍ତରଖାନା ସମ୍ପୁର୍ଣ୍ଣ କରିବାରେ ବିଳମ୍ବ ହେବା ଆଶନ୍କା କରି ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ତାର କାରଣ ପଚାରିଥିଲେ । ନିର୍ମାଣ ପାଇଁ ପରିବର୍ତ୍ତିତ ପରିସ୍ଥିତିରେ ନୂଆ କିଛି ସୁବିଧା ସୁଯୋଗ ଯୋଡା ଯାଉଥିବାରୁ ପ୍ରକଳ୍ପର ନକ୍ସା ସମୟ ସମୟରେ ପରିବର୍ତ୍ତନ ହେଉଛି । ତେଣୁ ସେ ନକ୍ସାର ମଞ୍ଜୁରି ପାଇଁ ଅଧିକ ସମୟ ଲାଗୁ ଥିବାରୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ନ ସରିବାର ଆଶନ୍କା କରାଯାଉଛି ବୋଲି ପୁର୍ତ୍ତ ନିର୍ବାହୀଯନ୍ତ୍ରୀ ଉତ୍ତର ରଖିଥିଲେ । ପ୍ରକଳ୍ପ ବିଳମ୍ବ ଏବଂ ନିର୍ମାଣକାରୀ ସଂସ୍ଥାକୁ ଅଧିକ ସମୟ କାହିଁକି ଦିଆଯିବ, ଏହା ଉପରେ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରି ଏକ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ସହରରେ ଥିବା ରିଂଗ ରୋଡ, ବାଏପାସ ଟେଣ୍ଡରକୁ ନେଇ ଆଲୋଚନା ହୋଇଥିଲା । ଡିସେମ୍ବର ସୁଦ୍ଧା ବାକିଥିବା ରିଂଗ ରୋଡ ସମ୍ପୁର୍ଣ୍ଣ ହେବ ଏବଂ ରାଜ୍ୟ ଷ୍ଟେଟ ବାଇପାସ ପାଇଁ ବ୍ୟୟ ଅଟକଳ ସହ ଟେଣ୍ଡର ପ୍ରକ୍ରିୟା ଶିଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
ଏହି ଆଲୋଚନା ବେଳେ ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତାଘାଟ ଓ ଡ୍ରେନ ମରାମତି ତଥା ବିପଦସଂକୁଳ ଅବସ୍ଥାରେ ଥିବା ଦେଓଗାଁ ବଂଗଳା ଛକରୁ ଜବରଦଖଲ ଉଚ୍ଛେଦ ଛତାମଖନା କିରାବାହାଲ ସେତୁ ପାଖରେ ବାକିଥିବା ଜମି ଅଧିଗ୍ରହଣକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ସମୀକ୍ଷାରେ କ୍ଷୁଦ୍ର ଜଳସେଚନ ଅନ୍ତର୍ଗତ ଗନ୍ଧରେଳ ଡ୍ୟାମ, ଜଳସେଚନ ବିଭାଗ ଅଧିନରେ ଥିବା ଲକ୍ଷ୍ମୀଯୋର ସମେତ ଛତାମଖନା କିରାବାହାଲ ବ୍ୟାରେଜ ନିର୍ମାଣ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ପରେ ପରେ ଜନସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀମାନଙ୍କୁ ପାନୀୟ ଜଳ ସମସ୍ୟାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରିବା ସହ ପାନୀୟ ଜଳର ସ୍ଥିତି ସହର ମଧ୍ୟରେ ଥିବା ଜଳାଶୟମାନଙ୍କର ପାଣିର ଅବସ୍ଥାକୁ ନେଇ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।