ମାଲକାନଗିରି, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵରଚିତ ଦେଶାତ୍ମବୋଧକ କବିତା ପାଠ କାର୍ଯକ୍ରମ ଗତକାଲି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚିତ୍ରକୋଣ୍ଡା ଅଞ୍ଚଳର କବି, ସାହିତ୍ୟିକ, କବୟିତ୍ରୀ ତଥା ଶିକ୍ଷାବିତ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ, କବି ତଥା ସାହିତ୍ୟିକ ଭରତ ଚନ୍ଦ୍ର ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କବିତା ଆସର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ଗୌରହରୀ ସାହୁ ଏବଂ ସଂମ୍ମାନିତ ଅତିଥିଭାବରେ ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ଡାକୁଆ ଓ ଦୁର୍ଯୋଧନ ସେଠି ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ପରେ ଭାରତମାତାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ, ଧୂପଦୀପ ଅର୍ପଣ କରି ପୂଜାର୍ଚନା କରିବା ପରେ ଟେମ୍ପରାରିକଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ। ସଭା ପ୍ରାରମ୍ଭରେ ଅବିଭକ୍ତ କୋରାପୁଟ ଜିଲାର ପୂର୍ବତନ ସାମ୍ବାଦିକ, କବି ଓ ସାହିତ୍ୟିକ ସ୍ବର୍ଗତ ସୁଧାକର ଦାଶଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା। ପରେ ଅତିଥି ମାନେ ଜଣକ ପରେ ଜଣେ ନିଜର ଅଭିଭାଷଣ ରଖିଥିଲେ। କବି ଏବଂ କବୟିତ୍ରୀ ମାନେ ନିଜ ନିଜର ଦେଶାତ୍ମବୋଧକ ସ୍ଵରଚିତ କବିତା ପାଠ କରିଥିଲେ। ଏଥି ସହିତ ଅତିଥିମାନେ କବି ବାଲାଜୀ ସେଠିଙ୍କ ଦ୍ଵାରା ମୁଦ୍ରିତ କବିତା ବହି ପୋଡ଼ା ସଳିତାକୁ ଉନ୍ମୋଚନ କରି କବିତାପାଠ କରିଥିବା ୨୨ ଜଣ କବି ଏବଂ କବୟିତ୍ରୀ ମାନଙ୍କୁ ସମ୍ବୋଧନ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଚିତ୍ରକୋଣ୍ଡା ଭଳି ଉପାନ୍ତ ତଥା ସ୍ଵାଭିମାନ ଅଞ୍ଚଳରେ ମାତୃଭାଷା, ସାହିତ୍ୟ ଓ କବିତା ହଜି ଯାଉଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ କବି ମାନଙ୍କ ଲୁକାୟିତ ପ୍ରତିଭାକୁ ବାହାର କରି କବିତା ଆସର ମାଧ୍ୟମରେ ସୁପ୍ତ ପ୍ରତିଭାକୁ ଆଗେଇ ନେଇ ବିକଶିତ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ଆଲୋଚନା ହୋଇଥିଲା। ଆଗାମୀ ସେପ୍ଟେମ୍ବର ମାସରେ ସ୍ଵାଭିମାନ ଅଞ୍ଚଳ ଗୁରୁପ୍ରିୟା ଠାରେ ରାଜ୍ୟ ସ୍ତରୀୟ କବିତା ଆସର କାର୍ଯ୍ୟକ୍ରମ କରାଯିବ ବୋଲି ଆବାହକ ଗୌରହରି ସାହୁ ସୂଚନା ପ୍ରଦାନ କରିଥିଲେ। ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ଏ ସୁନ୍ଦର ସୃଜନ ମନସ୍କ କବିତା ଆସର ସମଗ୍ର ଚିତ୍ରକୋଣ୍ଡା ଅଞ୍ଚଳରେ ଗଭୀର ପ୍ରଭାବ ପକାଇଥିଲା ।
ଏହି ଉତ୍ସବ ନିମନ୍ତେ ଚିତ୍ରକୋଣ୍ଡାର ବୁଦ୍ଧିଜିବୀ ତଥା ଜନସାଧାରଣଙ୍କ ତରଫରୁ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର ଓ ମାଲକାନଗିରି ଜିଲ୍ଲା ଶାଖାର ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ଆନ୍ଧ୍ର ଓଡିଶା ସୀମାନ୍ତରେ ଏ ସୁନ୍ଦର ପ୍ରୟାସକୁ ପ୍ରଶଂସା କରାଯାଇଛି। ଉକ୍ତ କବିତା ପାଠ କାର୍ଯ୍ୟକ୍ରମକୁ କବି କ୍ଷୀରୋଦ ବେହେରା ସଂଯୋଜନା କରିଥିବା ବେଳେ କବିତା ଆସର କାର୍ଯ୍ୟକ୍ରମକୁ ଆବାହକ କବି, ଶିକ୍ଷାବିତ ଗୌରହରି ସାହୁ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ କବି ଓ କବୟିତ୍ରୀ ନିରଦ ଜେନା, ବୁଲୁ ସେଠି, ସବିତା ତ୍ରିପାଠୀ, ରିତା ମହାରଣା, ବ୍ରଜବନ୍ଧୁ ନାୟକ,ଉଲ୍ଲାସ ଜେନା, ଦୀପ୍ତି ନାୟକ,ଜ୍ଞାନ ରଞ୍ଜନ ପଲାଇ, ତ୍ରିନାଥ ଗୌଡ଼,ବିଜୟ ପଣ୍ଡା ଓ ଅନାଦି ମହାପାତ୍ର ଅଂଶ ଗ୍ରହଣ କରିଥିଲେ।