ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ ଯୋଗଦେଇ ଯୁବପିଢ଼ି କିପରି ଭାବରେ ନିଶାଠାରୁ ଦୂରେଇ ରହିବେ ସେଥିପ୍ରତି ସଚେତନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ. ଦୁର୍ଗାପ୍ରସାଦ ରାଜ, ଭୁତାଣୁ ବିଶେଷଜ୍ଞ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଶା ସେବନର ଭୟାବହତା ଉପରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାସ ଯୋଗଦେଇ ନିଶାମୁକ୍ତ ରହି ଏକ ସୁସ୍ଥ ଜୀବନ ଗଠନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ସ୍ଵତନ୍ତ୍ର ଅତିଥି ଭାବରେ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ନିରଞ୍ଜନ ପୂଜାରୀ, ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଅଧ୍ୟାପକ ଲିଙ୍ଗରାଜ ମିଶ୍ର, ଅଧ୍ୟାପକ ଜିମୁତ ନାୟକ, ତପନ କୁମାର ବେହେରା, ପ୍ରଦୀପ ଓରାମ, ଅରୁଣ କୁମାର ପାଣ୍ଡରାଙ୍କୀ ପ୍ରମୁଖ ଯୋଗଦେବା ସହିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସଭାରେ ନିଶାଠାରୁ ଦୂରେଇ ରହିବା ପାଇଁ ଏକ ଶପଥ ପାଠ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହିତ ବହୁତ ଯୁବଗୋଷ୍ଠୀ ଏହି ଶପଥ ପାଠରେ ଭାଗନେଇଥିଲେ । ସଭା ଶେଷରେ ଅଧ୍ୟାପକ ଗୌତମ ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଥିଲା ।