ମାଲକାନଗିରି, ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଞ୍ଚଳର ବିକାଶ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । କିନ୍ତୁ କରାଯାଇଥିବା ଯୋଜନାର କାର୍ଯ୍ୟକାରୀ ସଠିକ ରୂପେ ହୋଇ ପାରୁନଥିବାରୁ, ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଗାଜୋଲବନ୍ଧା ଗାଁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ବେଳେ ଟଙ୍କାକିଆ ଚାଉଳ ହୋଇଛି ସାତ ସପନ । ସାରା ଦେଶ ସ୍ଵାଧିନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଏହି ଅଞ୍ଚଳ ବାସୀଙ୍କ ପାଇଁ ଯେପରି ମୌଳିକ ସୁବିଧା ସାତ ସପନ ପାଲଟିଛି । ଉପାନ୍ତ ପାହାଡୀ ଲୋକଙ୍କ ପାଇଁ ସରକାରୀ ସୁବିଧା ଆଜି ବି ଅପହଞ୍ଚ । ଆଜି ବି ଲୋକଙ୍କ ପାଖରେ ପହଞ୍ଚି ପାରିନି ଅଙ୍ଗନୱାଡି, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସୁବିଧା। ଗାଜୋଲବନ୍ଧା ଗାଁକୁ ରାସ୍ତା ଘାଟ ନଥିବାରୁ କୌଣସି ସରକାରୀ କର୍ମଚାରୀ ବା ସରକାରଙ୍କ ଯୋଜନା ପହଞ୍ଚିନାହିଁ ଏହି ଆଦିବାସୀ ବହୁଳ ଅଞ୍ଚଳରେ । ଏ ହେଉଛି, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତର ଗାଜୋଲବନ୍ଧା ଗାଁର ଦୃଶ୍ୟ । ଏହି ଗାଁରେ ଆଜି ସୁଦ୍ଧା କୌଣସି ସରକାରୀ କର୍ମଚାରୀ ଅବା କୌଣସି ରାଜନେତାଙ୍କ ପାଦ ପଡିନାହିଁ । ଗାଁକୁ ଯାତାୟାତ ପାଇଁ ରାସ୍ତା ନଥିବା କାରଣରୁ, ବର୍ଷ ବର୍ଷ ଧରି ଏହି ଜଙ୍ଗଲ ପାହାଡ ମଧ୍ୟଦେଇ ଯାତାୟାତ କରିବାକୁ ପଡୁଛି ଲୋକଙ୍କୁ। କାହାକୁ ଯଦି ରୋଗ ବ୍ୟାଧି ହୁଏ, ଅଥବା କୌଣସି ମହିଳା ଯଦି ଗର୍ଭ ଯନ୍ତ୍ରଣରେ ଛଟପଟ ହୁଏ, ତେବେ ଭାରରେ ବୋହି ୪ କିଲୋମିଟର ପାହାଡ ପର୍ବତ ମଧ୍ୟ ଦେଇ ଖାଲଖମରା ପୂର୍ଣ ପଥୁରିଆ ରାସ୍ତାକୁ ଅତିକ୍ରମ କରି ନିକଟସ୍ଥ ଗାଁକୁ ଯାଇ, ସେଠାରୁ ଆମ୍ବୁଲାନ୍ସ ଯୋଗେ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇଥାନ୍ତି । ଗାଁରେ ନାନା ସମସ୍ୟା ଲାଗି ରହିଥିଲେ ବି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ ବର୍ତମାନ ସୁଦ୍ଧା ଏହି ଗାଁ ଉପରେ । ଏଭଳିକି ଗାଁରେ କାହାରି ପାଖରେ ନାହିଁ ରାସନ କାର୍ଡ ଖଣ୍ଡିକ । ଦୀର୍ଘ ବର୍ଷ ଧରି ଜଳକଷ୍ଟ ହେଉଥିଲେ ମଧ୍ୟ ଦୂଷିତ ଜଳକୁ ରୋଷେଇ ଠାରୁ ଆରମ୍ଭ କରି ପିଇବା ପାଣି ରୂପେ ବ୍ୟବହାର କରିବାକୁ ପଡୁଛି ଲୋକଙ୍କୁ । ଗାଁକୁ କେବଳ ବିଦ୍ୟୁତ ସଂଯୋଗ କରିଦେଇ ଭୁଲିଗଲେ ରାଜ୍ୟ ସରକାର ଏହିଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଗାଁ ସମ୍ପୂର୍ଣ ପାହାଡ ଉପରେ ଥିବା ଯୋଗୁଁ ଏଠି ଆଜିସୁଦ୍ଧା ପହଞ୍ଚି ପାରିନି ସରକାରଙ୍କ ବିକାଶମୂଳକ ଯୋଜନା । ପରିବାର ପ୍ରତିପୋଷଣ ପାଇଁ କୌଣସି ରୋଜଗାର ପନ୍ଥା ନଥିବାରୁ କାଠ କୋଇଲା ବିକ୍ରି କରି ବହୁ କଷ୍ଟରେ ଚଳାନ୍ତି ପରିବାର । ଜିଲ୍ଲା ପ୍ରଶାସନ ଏମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା କାରଣରୁ ନିଜ କଷ୍ଟକୁ ନିଜେ ଆଦରି ୧୫ କିଲୋମିଟର ମୁଣ୍ଡରେ, କାନ୍ଧରେ କାଠ କୋଇଲା ବୋହି ବୋହି ନେଇ ବସ୍ତା ୧୦୦ ଟଙ୍କାରେ ବିକ୍ରି କଲେ ଚଳୁଛି ଏମାନଙ୍କ ପରିବାର । ଏତିକିରେ ବି ସରୁନି ଏମାନଙ୍କ ଦୁଃଖ , ଆର୍ଥିକ ସ୍ଥିତି ସ୍ଵଳ୍ପ ହେବା ଯୋଗୁଁ ୬ ମାସରୁ ଉର୍ଦ୍ଧ ଗର୍ଭବତୀ ମହିଳା ଜଣକ ମଧ୍ୟ ମୁଣ୍ଡରେ ବସ୍ତା ବୋହି ୧୫ କିଲୋମିଟର ଚାଲି ଚାଲି ଯାଇ କୋଇଲା ବିକ୍ରି କରିବାକୁ ପଡୁଛି । ତଥାପି ହାର ମାନି ନାହାନ୍ତି ଅଞ୍ଚଳ ବସିନ୍ଧା। ରାଜ୍ୟ ସରକାର ଗରିବ ଦୁଖୀଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି, କାମଧନ୍ଧା କରି ପରିବାର ପୋଷଣ ପାଇଁ ମନରେଗା ଯୋଜନାରେ କାର୍ଯ୍ୟ ମଧ୍ୟ ଯୋଗେଇ ଦେଇଛନ୍ତି, କିନ୍ତୁ ଆଜି ବି ପ୍ରକୃତ ହିତାଧିକାରୀ ସମସ୍ତ ସରକାରୀ ଯୋଜନରୁ ବଞ୍ଚିତ ରହିଛନ୍ତି । ତେବେ, ଆଉ କେତେ ଦିନ ପରେ ପ୍ରଶାସନର ନଜର ପଡିବ ଏହି ଗରିବ ଦୁଖୀଙ୍କ ପ୍ରତି ତାହାକୁ ଅପେକ୍ଷା କରି ରହିଛନ୍ତି ଗାଜୋଲବନ୍ଧା ବାସିନ୍ଧା ।