କଟକ/ଭୁବନେଶ୍ୱର, ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର କଟକ ଜିଲ୍ଲା ଶାଖା ତରଫରୁ ବୁଧବାର ସନ୍ଧ୍ୟାରେ ମର୍କତନଗରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଶାଖାର ସଭାପତି କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ଶିକ୍ଷାବିତ୍ ତଥା ରେଲୱେ ସେଟଲମେଂଟ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦେବୀପ୍ରସନ୍ନ ଦାସ ମୁଖ୍ୟ ଅତିଥି ଓ ଶୈଳବାଳା ସ୍ୱୟଂଶାସିତ ମହିଳା କଲେଜ ସ୍ନାତକୋତର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର ଚିତରଞ୍ଜନ ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ପ୍ରାରମ୍ଭିକ ସୂଚନା ଦେବାପରେ କାର୍ଯ୍ୟକ୍ରମର ସଂଯୋଜକ ସାଧୁ ଚରଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷାବିତତ ଡକ୍ଟର କୁଞ୍ଜବିହାରୀ ଜେନା, ଡକ୍ଟର ଜେ.ଏସ. ମହାପ୍ରଶସ୍ତ, ବିପିନବିହାରୀ ରାଉତ, ଶରତ ଚନ୍ଦ୍ର ପ୍ରଧାନ ମଧ୍ୟ ଉଦବୋଧନ ଦେଇଥିଲେ ।
ସ୍ୱାଧୀନତା ସଂଗ୍ରାମରେ ଭାଗନେଇ ପ୍ରାଣବଳି ଦେଇଥିବା ଅନେକ ସହିଦ ଇତିହାସ ପୃଷ୍ଠାରେ ସ୍ଥାନ ପାଇନଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସଙ୍ଗେସଙ୍ଗେ ସେମାନଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଶେଷରେ ପରିଷଦର ଉପଦେଷ୍ଟା ଡକ୍ଟର ସଂକର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସରୋଜକାନ୍ତ ପାଇଟାଲ ଓ ପୂର୍ଣ୍ଣଚନ୍ଦ୍ର ସାହୁ ମଂଚ ପରିଚାଳନା କରିଥିଲେ ।