ଭୁବନେଶ୍ୱର, ଓଡିଶାକୁ ଭାରତୀୟ ଜନତା ପାର୍ଟି ତାର ଫୋକସ ରଖିଛି । ସୁନୀଲ ବଂଶଲ ଜଣେ ସଫଳ ସଂଗଠକ, ଉତର ପ୍ରଦେଶରେ ବିଜେପି ଦୁଇ ଦୁଇ ଥର ସରକାର ଗଠନ କରିବାରେ ତାଙ୍କର ବଡ଼ ଅବଦାନ ରହିଛି । ବଂଶଲ ଓଡିଶାରେ ସଂଗଠନର ମାର୍ଗଦର୍ଶନ କରିବେ ଏବଂ ତାଙ୍କ ଯୋଜନା ଅନୁଯାୟୀ ଦଳ ଆଗକୁ ବଢିବ ଏବଂ ବିଜେପି ରାଜନୈତିକ ସଫଳତା ପାଇବ । ବିଜେପି ପାଇଁ ସୁଯୋଗ ସୃଷ୍ଟି ହୋଇଛି, ଆଉ ଆମେ ତାହାର ଫାଇଦା ନେବୁ, ଗୋଲ କରିବୁ ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ସେ କହିଛନ୍ତି, ବଂଶଲ ଆସିଲେ ସବୁ କିଛି କରିଦେବେ ବୋଲି କହୁନାହିଁ କିନ୍ତୁ ଗୋଟେ ପଲିସି କରିପାରିବେ, ଢାଂଚା ତିଆରି କରିପାରିବେ, ସେଥିରେ ଯେଉଁ ମାଟି ପକାଇବ ସେ ମୂର୍ତି ତିଆରି ହେବ । ଯିଏ ଢାଂଚା ତିଆରି ଜାଣିଛି ସେ ଭଲ ମୂର୍ତି ବି ତିଆରି କରିପାରିବ । ଫୁଟବଲ ଖେଳରେ କିଏ ପ୍ରଥମରୁ ଆକ୍ରମଣ କରେ ତ ପୁଣି କିଏ ସୁଯୋଗ ଅପେକ୍ଷାରେ ଥାଏ । ତେବେ ଗୋଲ କରିବାକୁ ସୁଯୋଗ ମିଳିଲେ ଆକ୍ରମଣକୁ ଜୋରଦାର କରିବା ଆବଶ୍ୟକ । ଆଉ ଏବେ ଆମ ପାଖକୁ ଗୋଲ କରିବାର ସୁଯୋଗ ଆସିଛି , ନିଶ୍ଚୟ ଗୋଲ ମାରିବୁ ଆଉ ଏଥିରେ କୋଚର ଭୂମିକା ବହୁତ ଗୁରୁତ୍ୱପୁର୍ଣ, କାରଣ କୋଚ ହିଁ ଷ୍ଟ୍ରାଟେଜି ତିଆରି କରିବ, ଆମେ କେଉଁ ମାଧ୍ୟମରେ ଖେଳିବୁ କୋଚ ନିଷ୍ପତି ନେବେ ।