ବାଲେଶ୍ୱର- ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ୩୫ ମିନିଟ୍ ସମୟରେ ଧାମରାସ୍ଥିତ ଅବ୍ଦୁଲ୍ କାଲାମ (ହ୍ୱିଲର )ଦ୍ୱୀପସ୍ଥିତ ଏଲ୍ସି-୪ଉତ୍କ୍ଷେପଣ କେନ୍ଦ୍ରରୁ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ ହେଉଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୨କ୍ଷେପଣାସ୍ତ୍ରର ବ୍ୟବହାରିକ ସଫଳ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଗ୍ନି ଗ୍ରୁପ୍ର କ୍ଷେପଣାସ୍ତ୍ରକୁ ବାରମ୍ବାର ପରୀକ୍ଷା ନିରୀକ୍ଷା କରାଯିବା ପରେ ଭାରତୀୟ ସ୍ଥଳସେନାକୁ ହସ୍ତାନ୍ତର କରାଯାଇଛି । ଏହି ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିଜାଇଲ୍ର ଲମ୍ବ -୨୦ମିଟର,ମୋଟେଇ-୧.୩ମିଟର ଏବଂ ଓଜନ ୧୭ଟନ୍ ଅଟେ । ଯୁଦ୍ଧ ସମୟରେ ଏହି କ୍ଷେପଣାସ୍ତ୍ର ୧ହଜାର କି.ଗ୍ରା. ଓଜନର ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।
ଏହି କ୍ଷେପଣାସ୍ତ୍ରକୁ ମଧ୍ୟ ମୋବାଇଲ୍ ଲଞ୍ଚରରୁ ଉତ୍କ୍ଷେପଣ କରାଯାଇପାରିବ । ୨ହଜାର କି.ମି.ରୁ ଅଧିକ ଦୂରତାରେ ଥିବା ଯେକୌଣସି ଲକ୍ଷ୍ୟଭେଦ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ରର ରହିଛି । ଆଜିର ପରୀକ୍ଷଣ ପାଇଁ ହ୍ୱିଲର ଦ୍ୱୀପରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷଣ ବେଳେ ଡିଆରଡିଓ ଏବଂ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ