ଭୁବନେଶ୍ୱର, ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ୱାରା ଓଡିଶା ଅଗ୍ନିଶମ ଓ ବିପତି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨ ଉଦ୍ଘାଟିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୃହରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନମାନଙ୍କରେ ପ୍ରତି କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ । ତେଣୁ ଆଗାମୀ ଦିନରେ ରାଜ୍ୟରେ ଅଗ୍ନିକାଣ୍ଡ ଓ ବିପତିର ତ୍ୱରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନକୈଶଳ ସହ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ, ସୁବିଧାସମ୍ପନ୍ନ ଭିତିଭୂମି ବିକାଶର ଆବଶ୍ୟକତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ବର୍ତମାନ ଅତି ଉଚ୍ଚ ଅଟ୍ଟାଳିକା ତଥା ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି ।
ସମ୍ମାନୀୟ ଅତିଥି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ’ଜିରୋ କାଜୁଆଲିଟି’ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇ ଥିଲେ । ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ ।
ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟୟ ଅନ୍ୟ ଶିଳ୍ପାଂଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୂଦ୍ରିକ ତୈଳ ବିତ୍ସୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ । ଅଧିବେଶନରେ ଅଗ୍ନି, ବିପତି ଓ ମଣିଷ ଉପରେ ତା’ର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନସଚେତନତାର ଆବଶ୍ୟକତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନିଉଜ ବୁଲିଟିନ୍ ଓ ଟେଲିଫୋନ ଡିରେକେଫାରୀ ଉନ୍ମୋଚନ କରିଥିଲେ ।
ପ୍ରାରମ୍ଭରେ ଅତିରିକ୍ତ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୌମ୍ୟା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।