
ସମ୍ବଲପୁର, ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୫ର ବସିଆପଡା ଛକ ନିକଟରେ ଯାତ୍ରୀବାହୀ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନଥିବା ଜଣାପଡିଛି । ଘଟଣାସ୍ଥଳରେ ଜୁଜୁମୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଆସୁଥିବା ‘ଡେଜି’ ନାମକ ଯାତ୍ରୀବାହୀ ବସ୍ ନଂ ଓଡି୧୫ଡି-୦୭୫୫ ବସିଆପଡା ଛକ ନିକଟରେ ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ବସ୍ ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର୍ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଜୁଜୁମୁରା ପୋଲିସ ଏନେଇ ଥାନାରେ ଏକ ମାମଲା ରୁଜୁ କରିଛି । ବସ୍ ର ମାଲିକକୁ ଥାନାକୁ ଡକାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜୁଜୁମୁରା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।