
ଭୁବନେଶ୍ୱର,ଉତର ପଶ୍ଚିମ ବଙ୍ଗୋପସାଗରରେ ସୁଦୃଶ-ଲଘୁଚାପ କ୍ଷେତ୍ର ମଙ୍ଗଳବାର ସକାଳେ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହୋଇଛି । ସକ୍ରିୟ ଅବପାତ ଗତ ୩ ଘଂଟା ମଧ୍ୟରେ ଘଂଟା ପ୍ରତି ୧୦କିମି ବେଗରେ ପଶ୍ଚିମ ଦିଗରେ ଗତିକରିବା ସହ, ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ୱର ଠାରୁ ଉତର-ପଶ୍ଚିମ ଦିଗରେ ୮୫ କିମି ଦୂରରେ ଓଡିଶା ଉପକୂଳ ଏବଂ ପାର୍ଶ୍ୱବର୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି । ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡକୁ ମୁହାଁଇବ ସହ ନିଜର ତୀବ୍ରତା ବଜାୟ ରଖି, ଆସନ୍ତା କାଲି ଛତିଶଗଡ ପହଂଚିବା ବେଳକୁ ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।ସେହିପରି ଅଧିକ ବର୍ଷାକୁ ଦୃଷ୍ଟି ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବା ଏସଆରସି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ବରଗଡ, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସୋନପୁର, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ , ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଗଜପତି, ଗଂଜାମ, କନ୍ଧମାଳ , ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ, ପୁରୀ ଓ ରାୟଗଡା ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।