ମାଲକାନଗିରି, କୁଡୁମୁଲୁଗୁମ୍ମା ଶିକ୍ଷା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ମାଲକାନଗିରି ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ, କୁଡୁମୁଲୁଗୁମ୍ମାର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ, ଉପ ସଭାପତି କେଶବ ବେହେରା, ସାଧାରଣ ସଂପାଦକ ଦାମୋଦର ସାହୁ, ସହ ସଂପାଦକ ଦୟାଲ ବୈରାଗୀ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରକାର ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ମାଲକାନଗିରିର ବରିଷ୍ଠ ଶିକ୍ଷାବିତ ତଥା ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରିବା ସହ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକ ର ସଭାପତି ଓ ସଂପାଦକ ଯୋଗଦାନ କରିଥିଲେ । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, କୁଡୁମୁଲୁଗୁମ୍ମା ତରଫରୁ ସମସ୍ତ ନିମନ୍ତ୍ରିତ ଅତିଥି ଓ କର୍ମକର୍ତ୍ତା ଓ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବ୍ଳକ ଶିକ୍ଷକ ସଂଘ ର ସଭାପତି ରମେଶ ଚନ୍ଦ୍ର ନେଲୁରୁ ଓ ସମ୍ପାଦକ ବଳରାମ ପୂଜାରୀ, ଉପ ସଭାପତି ତ୍ରୀନାଥ ପାଳ,ଉପ ସଭାନେତ୍ରୀ ପ୍ରୀୟମ୍ବଦା ରାଉତ ,ସଂଗଠନ ସମ୍ପାଦକ ସୁଧାକର ନାୟକ, ବିଜୟ ଚୌଧୁରୀ, କର୍ଣ ଭତ୍ରା, ଡମ୍ବରୁ ଭତ୍ରା ଅତିଥି ଦେବୋ ଭବ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ପାଦ ଧୋଇଦେବା ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗୁରୁ ପୂଜନର ଏହି ନିଆରା ମୂହୁର୍ତ୍ତକୁ ସମସ୍ତେ ପ୍ରଶଂସା କରିବା ସହ ବୈଦିକ ଗୂରୁକୁଳ ପରମ୍ପରାକୁ ମନେ ପକାଇଥିଲେ । ଆଦିଭୂମି ମାଲକାନଗିରି ମାଟିର କଥା ଓ ବ୍ୟଥାକୁ ସାରସ୍ବତ ସାଧନା ମାଧ୍ୟମରେ ଆଗକୁ ପରିବର୍ଧନ କରିଥିବାରୁ ବରିଷ୍ଠ ସାହିତ୍ୟିକ ତଥା କବି ବଳରାମ ପୂଜାରୀଙ୍କୁ ଇତ୍ୟ ବସରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ମାଲକାନଗିରି ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଂଘ ର କର୍ମକର୍ତ୍ତା ମାନେ ନିର୍ଦ୍ଧାରଣ ସବୁ ଆଲୋଚନା କରି ବିଭିନ୍ନ ଶିକ୍ଷକ ସମସ୍ୟା ଓ ଅଭାବ ଅସୁବିଧା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ବାନ କରିଥିଲେ । ଶେଷରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ରମେଶ ଚନ୍ଦ୍ର ନେଲୁରୁଙ୍କୁ କୁଡୁମୁଲୁଗୁମ୍ମା ମାଟି ର କବି ତଥା ସାହିତ୍ୟିକ ଶ୍ରୀ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ ।
ସମସ୍ତ ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ଦାମୋଦର ସାହୁ ପରିଚାଳନା କରିବା ସହ ପୂର୍ବତନ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସ୍ଵାଇଁଙ୍କ ଠାରୁ ସମସ୍ତ ଦାୟିତ୍ବ ଗ୍ରହଣ କରିଥିଲେ । ଲଘୁଚାପଜନିତ ବର୍ଷା ସତ୍ବେ ସୁଦୂର କାଲିମେଳା, ପଡିଆ, ମାଲକାନଗିରି, ମାଥିଲି, ଖଇରପୁଟ, କୋରକୋଣ୍ଡା, କୁଡୁମୁଲୁଗୁମ୍ମାର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିବାରୁ ବ୍ଲକ୍ ସମ୍ପାଦକ ଶ୍ରୀ ପୂଜାରୀ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।