
ପୁରୀ, ବିଶ୍ଵ ଐତିହ୍ୟ ସହର ପାଇଁ ଶ୍ରୀକ୍ଷେତ୍ରରେ ଚାଲିଛି ବିକାଶମୂଳକ କାର୍ଯ୍ୟ । ଭାଟିକାନ ସିଟି ପରି ଚକାଚକ ହେବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଶ୍ରୀସେତୁ ପାଇଁ ପିଲର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ସ୍ଵର୍ଗଦ୍ଵାରର ରୂପରେଖ ବଦଳି ଯାଇଛି । କିନ୍ତୁ, ବଦଳିନି ମୂଷାନଈର ଭାଗ୍ୟ । ବାରମ୍ବାର କାମ ହେଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ମଣିଷ ଦୁର୍ନୀତି କରି ଟଙ୍କା ଖାଇବା ଘଟଣା ଅଳ୍ପେ ବହୁତେ ଦେଖିବାକୁ ମିିଳେ । କିନ୍ତୁ, ଦଳ ଟଙ୍କା ଖାଇବା ଘଟଣା ପୃଥିବୀରେ ପ୍ରଥମ ବୋଲି ସହରବାସୀ ଆଲୋଚନା କରୁଛନ୍ତି । ହୁଳୁହୁଳିଆ ପୋଲ ଠାରୁ ଅଠରନଳା ନୂଆ ବ୍ରିଜ୍ ପର୍ଯ୍ୟନ୍ତ ଦଳ ସଫା ପାଇଁ ପ୍ରାୟ ୬ ଥର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲାଣି । ହେଲେ ଦଳ କିଛି ଶୁଣୁନି । ଯେତେ ଟଙ୍କା ଖର୍ଚ୍ଚ ହେଲେବି ଦଳ ମାସକ ଭିତରେ ଭରପୁର ହୋଇଯାଉଛି । ଦଳ ସଫା କରିବା ପାଇଁ ସ୍ଵତନ୍ତ୍ର ଦଳକଢା ବାହିନୀ କାର୍ଯ୍ୟ କରି ଫେଲ୍ ମାରିଛନ୍ତି । କେବଳ ଠିକାଦାର ଲାଭ ପାଉଛି । ଯେତେଥର ଦଳ କାଢିଲେ ସେତେଟଙ୍କା ମଞ୍ଜୁର ଚାଲିଛି । ସହରର ପ୍ରବେଶ ପଥକୁ ଦେଖି ବିଦେଶୀ ପର୍ଯ୍ୟଟକମାନେ ନାକ ଟେକୁଛନ୍ତି । ଅନ୍ୟପକ୍ଷରେ ଚଲାପଥ ଡ଼ିଜାଇନ ପଥର ପଡ଼ି ନିର୍ମିତ ହୋଇଛି । ଷ୍ଟିଲ ବ୍ୟାରିକେଟ ଲଗାଯାଇଛି । ବସିବା ପାଇଁ ପଥରରେ ଚ୍ୟୋୟାର ନିର୍ମିତ ହୋଇଛି । କୋଟି କୋଟି ଟଙ୍କା ବରବାଦ ହୋଇଥିଲେ ମଧ୍ୟ ଗୋଟିଏ ହେଲେ ପର୍ଯ୍ୟଟକ ସେଠାରେ ବସୁନଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ଚେୟାର । ସଞ୍ଜ ନଇଁଲେ ଏଠାରେ ଆସର ଜମାଉଛନ୍ତି ନିଶାଖୋର । ନର୍ଦ୍ଦମା ପାଣି ଓ ଦଳ ଯୋଗୁ ମଶାଙ୍କ ଏନ୍ତୁଡ଼ିଶାଳ ପାଲଟିଛି ମୂଷାନଦୀ । ଦଳ ମଝିରେ ବୃହତମ ଗରୁଡ଼ମୂର୍ତି ଠିଆ ହୋଇଛନ୍ତି । ଡ଼୍ରେନେଜ ବିଭାଗ, ପୂର୍ତ ବିଭାଗ ଏହି କାମ କରି ଫେଲ୍ ମାରିଛନ୍ତି ବୋଲି ଆଲୋଚନା ହେଉଛି । ପଙ୍କ କାଢିବା ପାଇଁ ସ୍ଵତନ୍ତ୍ର ଜାହାଜ ପରି ମେସିନ ବର୍ଷ ବର୍ଷ ଧରି ପଡ଼ି ରହିଛି । ସହରରେ ଆଲୋଚନା ହେଉଛି ଦଳ ଟଙ୍କା ଖାଉଛି ।