ଜୟପୁର, ଜୀବନକୁ ବାଜି ଲଗାଇ ଅର୍ଦ୍ଧ ନିର୍ମିତ ପୋଲ ଉପରେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଗ୍ରାମବାସୀ। ଏହି ଚିତ୍ରଟି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଚେରକା ପଂଚାୟତର ଭଦ୍ରାଗୁଡା ଗାଁ ନିକଟରେ ଦେଖିବାକୁ ମିଳିଛି। ରାମଗିରି ଠାରୁ ଚେରକା ଦେଇ ବାଗଦିରୀକୁ ସଂଯୋଗ କରୁଥିବା ଏହି ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରେ ପୋଲ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ଦୀର୍ଘ ଏକ ମାସ ହେବ ପଡିରହିଛି। ପରିବର୍ତ୍ତିତ ରାସ୍ତା ନଥିବା ମାଟି ରାସ୍ତାରେ ଗାଡି ଯାଇପାରିବ ନାହିଁ ଯେହେତୁ ପାର୍ଶ୍ଵ ପରିବର୍ତ୍ତିତ ରାସ୍ତା କାଦୁଅରେ ଭରି ଯାଇଛି। ଅଂଚଳବାସୀଙ୍କ ଯାତାୟତ ନିମନ୍ତେ ଏହା ମୁଖ୍ୟ ରାସ୍ତା ହେତୁ ପ୍ରତିଦିନ ଶହଶହ ଗାଡି କୌଣସି ଉପାୟ ନପାଇ ବାଧ୍ୟ ହୋଇ ଏହିପରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।
ଗ୍ରାମାଞ୍ଚଳ ଲୋକଙ୍କ ନିରବତାର ସୁଯୋଗ ନେଇ ପ୍ରଶାସନ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ହେତୁ ଅଂଚଳବାସୀ ହନ୍ତସନ୍ତ ହେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଥିବା ବେଳେ ସେପଟେ ଏ ସଂପର୍କରେ ବିଡ଼ିଓ ଅଭିମନ୍ୟୁ କବି ଶତପଥି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।