ଭୁୁବନେଶ୍ୱର – ବିନାଶ ପଥରେ ପଶ୍ଚିମ ଓଡିଶା ବିକାଶ ପରିଷଦ,ପଶ୍ଚିମ ଓଡିଶାବାସୀଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏଥିରେ ବିଧାୟକ ନରସିଂହ ମିଶ୍ର, ସନ୍ତୋଷ ସିଂହ ସାଲୁଜା. ତାରା ପ୍ରସାଦ ବାହିନୀପତି, ଦାଶରଥୀ ଗମାଙ୍ଗ ଅଂଶ ଗ୍ରହଣ କରି ପରିଷଦକୁ ଦିଆ ଯାଉଥିବା ଅର୍ଥ ଯଥେଷ୍ଟ ନୁହେଁ । ଏହାର ଏକ୍ଜିକ୍ୟୁଟିଭ ଏଜେନ୍ସୀ ନାହିଁ ଓ ଏହାର ମୁଖ୍ୟାଳୟ ପଶ୍ଚିମ ଓଡିଶାରେ ହୋଇ ପାରିଲା ନାହିଁ ବୋଲି କହିଥିଲେ । ସହମତି ପ୍ରକାଶ ପାଉ ନ ଥିବା ଆଳ ଦେଖାଇ ଏହାକୁ ବିଳମ୍ବିତ କରା ଯାଉଛି ଓ କହିବାକୁ ଗଲେ ଶାସକ ଦଳର ନେତା ମାନଙ୍କର ଥଇଥାନ ସଂସ୍ଥାରେ ଏହା ପରିଣତ ହୋଇଛି । ଶହେ କୋଟି ଟଙ୍କା ପରିବର୍ତେ ଏକ ହଜାର କୋଟି ଟଙ୍କା ଅନୁଦାନ ଦେବାକୁ ସେମାନେ ଦାବି କରିଥିଲେ । ଏହା ବ୍ୟତୀତ କେବିକେର ଉନ୍ନତି ପାଇଁ କାଉନସିଲ ଓ ଦକ୍ଷିଣ ଓଡିଶାର ବିକାଶ ପାଇଁ ଅନ୍ୟ ଏକ କାଉନସିଲ ଗଠନ କରିବାକୁ ସେମାନେ ପ୍ରସ୍ତାବ ଦେଇଥିଲେ ।
ଦୃଷ୍ଟି ଆକର୍ଷଣ ଆଣିଥିବା ଶାସକ ଦଳର ବିଧାୟକ ରୋହିତ ପୁଜାରୀ, ଦେବେଶ ଆଚାର୍ଯ୍ୟ , ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ତାଙ୍କ ସରକାର ଆସିବା ପରେ ପରିଷଦ ପକ୍ଷରୁ ଅନୁଦାନ ଅର୍ଥର ପରିମାଣ ବୃଦ୍ଧି କରା ଯାଇଥିଲେ ହେଁ ଏହା ଯଥେଷ୍ଟ ନୁହେଁ । ବହୁ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆ ଯାଇ କାର୍ଯ୍ୟକାରୀ କରା ଯାଇଛି ।
ଏହାର ଉତରରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା କହିଲେ ଯେ ନିକଟରେ ଖୁବ ଶୀଘ୍ର କାଉନସିଲର ଖାଲି ଥିବା ପଦବୀ ପୂରଣ କରା ଯିବ । ସହମତି ପ୍ରକାଶ ପାଉ ନ ଥିବାରୁ ମୁଖ୍ୟାଳୟ କରିବାରେ ବିଳମ୍ବ ଘଟୁଛି । କାଉନସିଲକୁ ଦିଆ ଯାଉଥିବା ଅନୁଦାନର ପରିମାଣକୁ ଆଗାମୀ ବଜେଟରେ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ । ସଭ୍ୟ ମାନେ ଦେଇଥିବା ସୁଚିନ୍ତିତ ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୂ । ପଶ୍ଚିମ ଓଡିଶା ବାସୀଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ସମ୍ପର୍କିତ ଅଭିଯୋଗ ଭିତିହୀନ ବୋଲି ସେ କହିଥିଲେ । ୧୯୯୮-୯୯ ଆର୍ଥିକ ବର୍ଷରୁ ପରିଷଦକୁ ସମୁଦାୟ ୧୫୬୨ କୋଟି ଟଙ୍କା ଅନୁଦାନ ଦିଆ ଯାଇଛି । ସେଥି ମଧ୍ୟରୁ ୧୪୯୩.୬୦ କୋଟି ଟଙ୍କା ୩୪, ୭୦୧ ଗୋଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥା ମାନଙ୍କୁ ଯୋଗାଇ ଦିଆ ଯାଇଛି । ଗତ ଅକ୍ଟୋବର ସୁଦ୍ଧା ୧୩୯୩.୨୦ କୋଟି ଟଙ୍କା ଖର୍ଚ ବିନିମୟରେ ୩୦, ୩୩୩ ଗୋଟି ପ୍ରକଳ୍ପ ସମ୍ପୂର୍ଣ କରା ଯାଇଛି । ୩୧୬୯ଟି ପ୍ରକଳ୍ପ କାମ ଚାଲୁ ରହିଛି । ଅବଶିଷ୍ଟ ୧୧୯୯ ଗୋଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ପ୍ରକ୍ରିୟା ଚାଲୁ ରହିଛି । ପରିଷଦର ଖର୍ଚରୁ ଚାଲୁଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ପର୍ଯ୍ୟବେକ୍ଷଣ କରା ଯାଉଛି । ସରକାରଙ୍କ ପୂର୍ଣ ସହଯୋଗରେ ପରିଷଦ ଅଂଚଳର ପୂର୍ଣ ବିକାଶ ଓ ବୈଷମ୍ୟ ଦୂରୀକରଣ ପଥରେ ପରିଷଦ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ । ମନ୍ତ୍ରୀଙ୍କ ଉତର ପରେ ମୁଲତବୀ ପ୍ରସ୍ତାବଟି କାଟ ଖାଇଥିଲା ।