ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗରୁଡ଼େଶ୍ଵର ଉଚ୍ଚ ବିଦ୍ୟାଳୟରେ ଭୌତିକ କାଣ୍ଡକୁ ନେଇ ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚା ଲାଗିରହିଛି । ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । ଗ୍ରାମବାସୀ ମଧ୍ୟ ଏନେଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।
ସୂଚନା ପ୍ରକାରେ ଦୁଇ ସପ୍ତାହ ତଳେ ବିଦ୍ୟାଳୟରେ ପ୍ରାର୍ଥନା ଚାଲୁଥିବା ସମୟରେ ଜଣେ ଛାତ୍ରୀ ଅଚେତ୍ ହୋଇପଡିଥିଲେ । ଏହାପରେ ଆଉ ୭ ଜଣ ଛାତ୍ରୀ ମଧ୍ୟ ଅଚେତ୍ ହୋଇପଡିଥିଲେ । ଅଭିଭାବକ ମାନେ ଛାତ୍ରୀମାନଙ୍କୁ ଘରକୁ ନେଇ ଯାଇଥିଲେ । ସ୍ଵାସ୍ଥ୍ୟକର୍ମୀ ଅସୁସ୍ଥ ଛାତ୍ରୀମାନଙ୍କ ଘରକୁ ଯାଇ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଏହା ପରଦିନ ଝାଡ଼ବନ୍ଧରେ ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । କେତେକ ଛାତ୍ରଛାତ୍ରୀ ନିମ୍ନ ରକ୍ତଚାପ ଯୋଗୁଁ ଏଭଳି ଅସୁସ୍ଥ ହୋଇପଡିଥିବା ଜଣାପଡିଥିଲା । ସେମାନଙ୍କୁ ଔଷଧ ବିତରଣ କରାଯାଇଥିଲା । ଏହାର କିଛି ଦିନ ପରେ ପୂର୍ବରୁ ଅଚେତ୍ ହୋଇଥିବା ଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଅଚେତ୍ ହୋଇପଡିଥିଲେ । ଶୁକ୍ରବାର ଦିନ ପୁଣି ୭ ଜଣ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ । ଭୌତିକ କାଣ୍ଡ କିମ୍ବା ଗୁଣିଗାରେଡ଼ି ଯୋଗୁଁ ଏପରି ଘଟୁଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଏ ସମ୍ପର୍କରେ ଆଜି ପୁଣି ଥରେ ଗ୍ରାମବାସୀ ଗାଙ୍ଗପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ଗ୍ରାମବାସୀଙ୍କୁ ନେଇ ଥାନା ପରିସରରେ ଏକ ସଚେତନତା ବୈଠକ କରିଛନ୍ତି । ଆସନ୍ତା ସୋମବାର ଧରାକୋଟରେ ଆୟୋଜିତ ହେବାକୁ ଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅସୁସ୍ଥ ଛାତ୍ରୀ ମାନଙ୍କ ଉଚ୍ଚସ୍ତରିୟ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି ।