ପୁରୀ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଜୟପୁର ଗ୍ରାମପଚାଂୟତ ଏବଂ ପେଣ୍ଠପଡା ଗ୍ରାମପଚାଂୟତ ସୀମାକୁ ଲାଗି ବହିଯାଉଥିବା କେନାଲରେ ଏକ ଆନିକଟ ନିର୍ମାଣ ଚାଲିଛି । ଜୟପୁର ଗ୍ରାମ ଶେଷ ମୁଣ୍ଡ ବାରିକ ସାହି ନିକଟରେ ଥିବା ବ୍ରିଜ୍ ପାଖରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଷୟ, ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଖାପାଖି ଅଧା ସରିଥିବା ବେଳେ ଅଦ୍ୟାବଧି ପ୍ରକଳ୍ପ ସ୍ଥାନରେ କୌଣସି ସୂଚନା ଫଳକ ନାହିଁ । ଫଳରେ ଏହି ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ନିର୍ମାଣ କାର୍ଯ୍ୟର ଅବଧି କେତେ ପର୍ଯ୍ୟନ୍ତ ରହିଛି, କେଉଁ ବିଭାଗ ପକ୍ଷରୁ ଏହି କାମ ହେଉଛି ସେନେଇ ଗ୍ରାମବାସୀଙ୍କ ପାଖରେ ମଧ୍ୟ କୌଣସି ଖବର ନାହିଁ । ଅନ୍ୟପକ୍ଷରେ ସମ୍ପ୍ରତି ବର୍ଷା ସମୟରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କାମର ମାନ ଓ ସ୍ଥାୟୀତ୍ଵକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି । ସ୍ଥାନୀୟ ସରପଂଚ ଓ ଲୋକ ପ୍ରତିନିଧି ଏ ଦିଗରେ ନିରବଦ୍ରଷ୍ଟା ସାଜିଥିବାରୁ ଏଥିରେ ବଡ ଧରଣର ଅର୍ଥ ହେରଫେର୍ ହେଉଥିବା ଗ୍ରାମର କିଛି ବରିଷ୍ଠ ନାଗରିକ, ଶିକ୍ଷିତ ଯୁବକ ଅଭିଯୋଗ କରିଛନ୍ତି ।
ଖବର ନେବାରେ ଜଣାପଡିଛି, ଡ୍ରେନେଜ୍ ବିଭାଗ ପକ୍ଷରୁ ପ୍ରାୟ ଦେଢ଼ କୋଟି ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଆନିକଟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ପାଣିକୁ ନିୟନ୍ତ୍ରିତ କରିବା, କାର୍ତିକ ମାସରେ ଧାନ ଗଛରେ ଥୋଡ ଧରିବା ସମୟରେ ଫସଲକୁ ପାଣି ଯୋଗାଣ ଓ ବ୍ୟବସ୍ଥିତ ଭାବରେ ଗହିରରୁ ଭାର୍ଗବୀ ନଦୀକୁ ଜଳ ନିଷ୍କାସନ । ତେବେ ଯେଉଁଭଳି ଭାବରେ ଏଠାରେ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି । ଏପରିକି ଏମାନଙ୍କ ବିରୋଧରେ ସ୍ଵର ଉତୋଳନ କରିବାକୁ ମନରେ ସାହାସ ଜୁଟାଇ ପାରୁନାହାଁନ୍ତି ଗ୍ରାମବାସୀ । କାରଣ ପାଟି ଖୋଲିଲେ ଧମକ, ଆକ୍ରମଣର ଭୟ ରହିଛି । ଯାହାର ଫାଇଦା ଉଠାଉଛନ୍ତି ଯନ୍ତ୍ରୀ, ଠିକାଦାର ଓ ସ୍ଥାନୀୟ ଲୋକ ପ୍ରତିନିଧି । ତେଣୁ ତୁରନ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।