-
ଘଟଣା ପାଇଁ ସଂପୃକ୍ତ କର୍ମଚାରୀଙ୍କୁ ସେବା ନିବୃତ କରିବା ସହ ଦୁଇ ଜଣ ଅଧିକାରୀଙ୍କୁ କୈଫିୟତ ତଲବ
ଭୁୁବନେଶ୍ୱର, ୧୬ ନଭେମ୍ବର -ଗାନ୍ଧୀଜୀଙ୍କ ସମ୍ବନ୍ଧରେ ଆମ ବାପୁଜୀ : ଏକ ଝଲକ ନାମକ ପୁସ୍ତିକାରେ ଦିଲ୍ଲୀର ବିରଲା ଭବନ ଠାରେ ଏକ ଆକସ୍ମିକ ଘଟଣା କ୍ରମେ ଗାନ୍ଧୀଜୀଙ୍କ ଅକାଳ ବିୟୋଗ ଘଟିଥିଲା ବୋଲି ଯାହା ପ୍ରକାଶ ପାଇଛି ତାହା ଦ୍ୱାରା ଅନିଚ୍ଛାକୃତ ତ୍ରଟି ବୋଲି ରଖିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବିବୃତିରେ କହିଛନ୍ତି ।
ପ୍ରଶ୍ନୋତର କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପୁସ୍ତିକାରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ତଥ୍ୟ ପ୍ରକାଶିତ ହେବା ସମ୍ପର୍କରେ ଗୃହରେ ବିବୃତି ରଖିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ଡାକିଥିଲେ ।
ଶ୍ରୀ ଦାଶ କହିଥିଲେ ଯେ ସରକାରଙ୍କର ପିଲା ମାନଙ୍କୁ କୌଣସି ଭୁଲ ତଥ୍ୟ ଦେବା କିମ୍ବା ବିଭ୍ରାନ୍ତ କରିବା କିମ୍ବା ଘଟଣା ଚକ୍ରକୁ ପରିବର୍ତନ କରିବାର କୌଣସି ଉଦେ୍ଧଶ୍ୟ ନ ଥିଲା ।
ସେ କହିଥିଲେ ଯେ ଗୃହର ଉଦବେଗକୁ ସମ୍ମାନ ଜଣାଇ ଉକ୍ତ ପତ୍ରିକାକୁ ସରକାର ପ୍ରତ୍ୟାହାର କରି ସାରିଛନ୍ତି । ଏହି ଘଟଣା ପାଇଁ ସଂପୃକ୍ତ କର୍ମଚାରୀଙ୍କୁ ସେବା ନିବୃତ କରିବା ସଙ୍ଗେ ସଙ୍ଗେ ଦୁଇ ଜଣ ଅଧିକାରୀଙ୍କୁ କୈଫିୟତ ତଲବ କରା ଯାଇଛି ।
ସେ କହିଛନ୍ତି ଯେ ପ୍ରତ୍ୟାହାର ହୋଇଥିବା ପତ୍ରିକାକୁ ଆବଶ୍ୟକୀୟ ସଂଶୋଧନ କରା ଯାଇ ପୁନଃ ମୁଦ୍ରଣ ପତ୍ରିକା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ମାସ ମଧ୍ୟରେ ବଂଟା ଯିବ ।
ମନ୍ତ୍ରୀଙ୍କ ବିବୃତି ପରେ ଶୂନ୍ୟକାଳରେ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ କମିଟିର ଅଧ୍ୟକ୍ଷ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ତାଙ୍କର ବିନା ଅନୁମତିରେ ଏପରି ଭୁଲ ତଥ୍ୟ ସମ୍ବଳିତ ପୁସ୍ତିକା ବିତରଣ କିପରି ହୋଇ ପାରିବ । ଏଥି ନିମନ୍ତେ ଦାୟୀ କିଏ ରହିବ ବୋଲି ସେ ପ୍ରଶ୍ନ କରିଥିଲେ ।
ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ ମନ୍ତ୍ରୀଙ୍କର ବିବୃତି ପରେ ଏ ନେଇ ଆଲୋଚନା କରାଯିବା ବିଧିବ୍ୟବସ୍ଥାରେ ନାହିଁ । ତେଣୁ ତାଙ୍କର ଯଦି ଆଉ କୌଣସି ପ୍ରସଙ୍ଗ ଅଛି ତେବେ ତାକୁ ସେ ଉଠାଇ ପାରନ୍ତି । ଏହାର ଉତରରେ ଶ୍ରୀ ମିଶ୍ର କହିଥିଲେ ଯେ ସେ ମନ୍ତ୍ରୀଙ୍କ ବିବୃତି ଉପରେ ଆଲୋଚନା କରୁ ନାହାନ୍ତି ବରଂ ସେ କେବଳ ମନ୍ତ୍ରୀଙ୍କ ବିବୃତିକୁ ଉଦ୍ଧୃତ କରୁଛନ୍ତି । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିବାର ଦେଖିବାକୁ ମିଳିଥିଲା ।